ବୀରମହାରାଜପୁର ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ 133 ଟି ଦରଖାସ୍ତ ଗ୍ରହଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ କେ ହରିପ୍ରସାଦ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସର୍ବମୋଟ ୧୩୩ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିବାବେଳେ, ସେଥି ମଧ୍ୟରୁ ୧୧୬ଟି ବ୍ୟକ୍ତିଗତ ଓ ୧୭ଟି ସାମୁହିକ ଦରଖାସ୍ତ ଥିଲା।
ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ତହସିଲଦାର ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର ଶ୍ରୀ ରାଜୀବ ହାଂସଦାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ, ସହାୟକ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

