Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମାଜିକ ସମାନତା ଉପରେ ଜାତିଗତ ପ୍ରାଚୀର: ଅଙ୍ଗନୱାଡିରେ ୭ ଦିନ ପରେ ଖୋଲିଲା ତାଲା, ବିବାଦ ଅସମାହିତ ।

ବଲାଙ୍ଗୀର,୩୦।୬: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଜଣେ ଦଳିତ ମହିଳାଙ୍କ ନିଯୁକ୍ତିକୁ କେନ୍ଦ୍ର କରି ଦେଖାଦେଇଥିବା ଜାତିଗତ ବିବାଦ ତୀବ୍ର ରୂପ ଧାରଣ କରିଛି। ଦୀର୍ଘ ୭ ଦିନ ଧରି କେନ୍ଦ୍ରରେ ତାଲା ଝୁଲିବା ପରେ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ଆଜି ତାଲା ଖୋଲାଯାଇଥିଲେ ହେଁ, ଉତ୍ତେଜନା ସମ୍ପୂର୍ଣ୍ଣ ପ୍ରଶମିତ ହୋଇନାହିଁ।
ସୂଚନା ଅନୁଯାୟୀ, ଘୁଷୁରାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ପୁଣ୍ୟ ହରିପାଲ ନାମକ ଜଣେ ଦଳିତ ମହିଳାଙ୍କୁ ନୂତନ ପାଚିକା ଭାବେ ନିଯୁକ୍ତ କରାଯାଇଛି। ତେବେ ଏହି ସରକାରୀ ନିଯୁକ୍ତିକୁ ସେହି ଗ୍ରାମର ଆଦିବାସୀ ସଂପ୍ରଦାୟ ତଥା ଅନ୍ୟ କିଛି ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଦଳିତ ଜାତିର ପାଚିକା ରୋଷେଇ କଲେ ସେମାନଙ୍କ ପିଲାମାନେ ସେହି ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଜିଦ୍‌ ଧରି ଗ୍ରାମବାସୀ ଏକତ୍ରିତ ହୋଇ କେନ୍ଦ୍ରରେ ସମ୍ପୂର୍ଣ୍ଣ ଭାବେ ତାଲା ପକାଇ ଦେଇଥିଲେ।
ଜାତିଗତ ବିବାଦ କାରଣରୁ ଦୀର୍ଘ ୭ ଦିନ ଧରି ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲି ରହିଥିଲା। ଫଳରେ ଗ୍ରାମର କୋମଳମତି ଶିଶୁ, ଗର୍ଭବତୀ ଏବଂ ପ୍ରସୂତି ମହିଳାମାନେ ସରକାରୀ ପୋଷଣଯୁକ୍ତ ଖାଦ୍ୟ ତଥା ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଥିଲେ। ସରକାର ଜାତିପ୍ରଥା ଉଚ୍ଛେଦ ପାଇଁ କୋଟି କୋଟି ଟଙ୍କାର ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ, ମୁରିବାହାଲ ବ୍ଲକର ଏହି ଦୁର୍ଗମ ଅଞ୍ଚଳରେ ଜାତିଗତ ପ୍ରାଚୀର କେତେ ଶକ୍ତ ରହିଛି, ତାହା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।
ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ସିଡିପିଓ (CDPO) ପୂର୍ଣ୍ଣିମା ବୈଠାରୁ, ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ ଏବଂ ଥାନା ଅଧିକାରୀ ବୁଲୁ ମୁଣ୍ଡା ସଦଳବଳେ ଘୁଷୁରାମୁଣ୍ଡା ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ଆଦିବାସୀ ସଂପ୍ରଦାୟର ଲୋକେ ନିଜ ଜିଦ୍‌ରେ ଅଟଳ ରହିବାରୁ ପ୍ରଶାସନର ପ୍ରାଥମିକ ପ୍ରୟାସ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା।
ସମସ୍ୟାର ଜଟିଳତାକୁ ଦୃଷ୍ଟିରେ ରଖି ଆଜି ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଟିମ୍ ଗ୍ରାମରେ ପହଞ୍ଚିଥିଲା। ଏହି ଟିମ୍‌ରେ ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଡ଼ିଓ ବାସନ୍ତୀ ସେଠୀ, ସିଡିପିଓ ପୂର୍ଣ୍ଣିମା ବୈଠାରୁ ଏବଂ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ସାମିଲ ଥିଲେ। ଗାଁର ଦୁଇ ଗୋଷ୍ଠୀଙ୍କୁ ନେଇ ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।
ଶାନ୍ତି କମିଟି ଏବଂ ପ୍ରଶାସନିକ ପଦକ୍ଷେପ ଓ ନିଷ୍ପତ୍ତି ପରେ ଆଜି ୭ ଦିନ ପରେ ଅଙ୍ଗନୱାଡି କେନ୍ଦ୍ରର ତାଲା ଖୋଲି ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ସେବାକୁ ତୁରନ୍ତ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ବିବାଦର ସାମୟିକ ସମାଧାନ ସ୍ୱରୂପ ଗାଁର ଏକ ‘ମାତୃ ମଣ୍ଡଳୀ’ କେନ୍ଦ୍ରର ପରିଚାଳନା ଦାୟିତ୍ୱ ନେବେ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ପ୍ରଶାସନର ହସ୍ତକ୍ଷେପ ପରେ କେନ୍ଦ୍ରର ତାଲା ଖୋଲାଯାଇ ସେବା ସ୍ୱାଭାବିକ କରାଯାଇଥିଲେ ହେଁ, ଜାତିଗତ ବିବାଦର ନିଆଁ ଏବେ ବି ଅନ୍ତରାଳରେ ଜଳୁଛି। ପ୍ରଶାସନ ଗ୍ରାମବାସୀଙ୍କ ଜିଦ୍ ଆଗରେ ସାମୟିକ ଭାବେ ସାଲିସ୍ କରି ‘ମାତୃ ମଣ୍ଡଳୀ’କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ନିଯୁକ୍ତି ପାଇଥିବା ଦଳିତ ମହିଳା ପୁଣ୍ୟ ହରିପାଲଙ୍କୁ ତାଙ୍କର ସାମ୍ବିଧାନିକ ଓ ନ୍ୟାଯ୍ୟ ଅଧିକାର ମିଳିବ ନା ଗ୍ରାମବାସୀଙ୍କ ଜିଦ୍ ର ବିଜୟୀ ହେବ, ସେ ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories