ବାଣପୁର ଯୁବକ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ
ଖୋର୍ଦ୍ଧା: ବାଣପୁର ବ୍ଲକ ଅନ୍ତର୍ଗତ ଗାଲୁଆ ପଞ୍ଚାୟତର ଭୀମପୁର ଗାଁର ଯୁବକ ତୋଫାନ ନାୟକଙ୍କ ମୃତ୍ୟୁକୁ ନେଇ ଉଠିଥିବା ହେପାଜତ ହିଂସା ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି। ପ୍ରାଥମିକ ତଦନ୍ତରେ ପୋଲିସ ହେପାଜତରେ ନିର୍ଯାତନା ଦିଆଯାଇଥିବାର କୌଣସି ପ୍ରମାଣ ମିଳିନଥିବା ବୋଲି ପୋଲିସ ସ୍ପଷ୍ଟ କରିଛି।
ପୋଲିସ ସୂଚନା ଅନୁସାରେ, ଜୁନ୍ ୨୮ ତାରିଖ ଅପରାହ୍ନ ୪ଟା ୪୩ ମିନିଟ୍ରେ ERSS-୧୧୨କୁ ଏକ ଫୋନ୍ କଲ୍ ଆସିଥିଲା। ବିଷ୍ଣୁଡିହ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସୂଚନା ଦେଇଥିଲେ ଯେ, ଗ୍ରାମବାସୀମାନେ ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଟକ ବ୍ୟକ୍ତିଙ୍କୁ ତୋଫାନ ନାୟକ (୩୨) ବୋଲି ଚିହ୍ନଟ କରିଥିଲା। ସେ ମଦ୍ୟପ ଅବସ୍ଥାରେ ଥିବା ସହ ଜଣେ ସ୍ଥାନୀୟ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ରହିଥିଲା ବୋଲି ପୋଲିସ କହିଛି।
ପୋଲିସ ତାଙ୍କୁ ଉଦ୍ଧାର କରି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ବାଣପୁର ଥାନାକୁ ନେଇଥିଲା। ଥାନାକୁ ଆଣିବା ପରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ରାତି ପ୍ରାୟ ୮ଟାରେ ତୋଫାନଙ୍କ ପିତାମାତା ଥାନାରେ ପହଞ୍ଚିଥିଲେ। ସେମାନେ ଗ୍ରାମବାସୀଙ୍କ ବିରୋଧରେ କୌଣସି ଅଭିଯୋଗ କରିନଥିବା ସହ ତୋଫାନ ଗତ ୨୦ରୁ ୨୫ ଦିନ ଧରି ମାନସିକ ସମସ୍ୟାରେ ଥିବା କଥା କହିଥିଲେ ବୋଲି ପୋଲିସ ଦାବି କରିଛି। ଏହାସହ ତୋଫାନଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ନେଇ ପରିବାର ପକ୍ଷରୁ ଏକ ଜିମ୍ମାନାମା ମଧ୍ୟ ଦିଆଯାଇଥିବା ପୋଲିସ କହିଛି।
ତେବେ ତୋଫାନଙ୍କ ମୃତ୍ୟୁକୁ ନେଇ ସମଗ୍ର ଘଟଣାର ତଦନ୍ତ ଜାରି ରହିଛି। ପୋଲିସ କହିଛି, ତଦନ୍ତରେ ଯାହା ବାସ୍ତବ ତଥ୍ୟ ସାମ୍ନାକୁ ଆସିବ, ସେହି ଅନୁଯାୟୀ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

