Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ମେଡିକାଲ ବୈଠକରେ ତୁମ୍ବିତୋଫାନ: ସାମ୍ବାଦିକଙ୍କୁ ବାରଣ, ବିଧାୟକଙ୍କ ପ୍ରଶ୍ନ ଆଗରେ ନିରୁତ୍ତର ଅଧିକାରୀ ।

ବଲାଙ୍ଗୀର,୧।୭: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଉନ୍ନତ ସେବା ଯୋଗାଇବା ନାଁରେ ଚାଲିଛି ପ୍ରହସନ? ସରକାରୀ ପାଣ୍ଠିର ଖର୍ଚ୍ଚ କୁଆଡ଼େ ଯାଉଛି, ତାହାର ହିସାବ ନାହିଁ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ? ଏଭଳି କିଛି ସଂଗୀନ ପ୍ରଶ୍ନ ଓ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମେଡିକାଲର ବିଭିନ୍ନ ଦୁର୍ନୀତି ଓ ଅବ୍ୟବସ୍ଥା ଉପରେ ପରଦା ପକାଇବାକୁ ଯାଇ ଚତୁରତାର ସହ ସାମ୍ବାଦିକମାନଙ୍କୁ ଚଳିତ ବୈଠକରୁ ଦୂରେଇ ରଖାଯାଇଥିବା ବେଳେ, ନିଜେ କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରଶ୍ନବାଣ ଆଗରେ ମେଡିକାଲ ଅଧିକାରୀମାନେ ନିରୁତ୍ତର ରହିବା ସ୍ଥାନୀୟ ପ୍ରଶାସନର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପୂର୍ବରୁ ସମସ୍ତ ରୋଗୀ କଲ୍ୟାଣ ସମିତି ବୈଠକରେ ସାମ୍ବାଦିକମାନଙ୍କୁ ଆମନ୍ତ୍ରଣ କରାଯାଇ ସୂଚନା ଦିଆଯାଉଥିବା ବେଳେ, ଏବେ କିଛି ବୈଠକ ହେଲା ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ଖବର ଦିଆଯାଉନାହିଁ। ମେଡିକାଲ ପରିସରରେ ଚାଲିଥିବା ମନମୁଖୀ କାର୍ଯ୍ୟକଳାପ ଓ ଆର୍ଥିକ ଅନିୟମିତତା ଯେପରି ସାମ୍ନାକୁ ନ ଆସିବ, ସେଥିପାଇଁ ଆୟୋଜକମାନେ ଏଭଳି ଅଗଣତାନ୍ତ୍ରିକ ପନ୍ଥା ଆପଣାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଗଣମାଧ୍ୟମକୁ ବାରଣ କରି କେଉଁ ସତ ଲୁଚାଉଛି ମେଡିକାଲ ପ୍ରଶାସନ?
ଖର୍ଚ୍ଚର ସୂଚୀ ଦେଇପାରିଲେନି ଅଧିକାରୀ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ରାକେଶ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମେଡିକାଲରେ ଲାଗିଥିବା ଦୁଇଟି ବଡ଼ ଜନରେଟରରେ କେତେ ଡିଜେଲ ଖର୍ଚ୍ଚ ହେଉଛି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚର ବିବରଣୀ ବିଧାୟକ ମାଗିଥିଲେ। କିନ୍ତୁ ବିଧାୟକଙ୍କୁ କୌଣସି ସନ୍ତୋଷଜନକ ଜବାବ କିମ୍ବା ଲିଖିତ ସୂଚୀ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ଅଧିକାରୀଙ୍କ ଏଭଳି ଚୁପ୍ ରହିବା ପଛରେ ବଡ଼ ଧରଣର ଅର୍ଥ ହେରଫେରର ଆଶଙ୍କା କରାଯାଉଛି।
ରୋଗୀ ସେବା ନାଁରେ କିଭଳି ଶୋଷଣ ଚାଲିଛି, ତାହାର ପର୍ଦ୍ଦାଫାଶ ନିଜେ ହସ୍ପିଟାଲର ସୁରକ୍ଷା କର୍ମୀ ବିଧାୟକଙ୍କ ଆଗରେ କରିଛନ୍ତି। ସରକାରୀ ନିୟମ ଅନୁସାରେ ଆମ୍ବୁଲାନ୍ସ ପାଇଁ ପ୍ରତି କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ, ରୋଗୀଙ୍କ ଠାରୁ ମନଇଚ୍ଛା ମୋଟା ଅଙ୍କର ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।
ବିଧାୟକ ଶ୍ରୀ ବାଗ ଯେତେବେଳେ ଆମ୍ବୁଲାନ୍ସରୁ ଆଦାୟ ହୋଇଥିବା ମୋଟ ରାଶି ଏବଂ ଜମା ଖାତାର ପ୍ରମାଣ ମାଗିଥିଲେ, ସେତେବେଳେ ଆମ୍ବୁଲାନ୍ସ ଚାଳକ କିମ୍ବା କୋଷାଧ୍ୟକ୍ଷ କୌଣସି ଯୁକ୍ତିଯୁକ୍ତ ଲିଖିତ ଦସ୍ତାବିଜ ଦେଖାଇ ପାରିନଥିଲେ। ବିନା କୌଣସି ଉପରିସ୍ଥ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ଦୁର୍ନୀତି ସମ୍ଭବ ନୁହେଁ ବୋଲି ସନ୍ଦେହ ଦୃଢ଼ ହେବାରେ ଲାଗିଛି।
ବୈଠକରେ ଏନ୍‌ଏସିର ନିର୍ବାହୀ ଅଧିକାରୀ ଛବି ପୋଢ଼ଙ୍କ ଉପସ୍ଥିତିରେ ଡାକ୍ତରଖାନାର ବିକାଶ, ପରିମଳ, ବିଦ୍ୟୁତ, ପାନୀୟ ଜଳ ଏବଂ ପ୍ରସୂତି ସେବା ଭଳି ମୌଳିକ ସମସ୍ୟାର ସମୀକ୍ଷା ତ ହେଲା, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଡାକ୍ତରଖାନାରେ ଦୀର୍ଘ ଦିନରୁ ସଫାଇ କର୍ମଚାରୀଙ୍କ ଅଭାବ ରହିଛି। ଦନ୍ତ ଚିକିତ୍ସା ଓପିଡ଼ି (OPD) ଖୋଲୁନାହିଁ କି ଆମ୍ବୁଲାନ୍ସ ପାଇଁ ସ୍ଥାୟୀ ଚାଳକ ନିଯୁକ୍ତି କରାଯାଉନାହିଁ। ରୋଗୀଙ୍କ ଅଭିଯୋଗର ତୁରନ୍ତ ସମାଧାନ, ଆବଶ୍ୟକ ଔଷଧର ମହଜୁଦ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଠିକ୍ ସମୟରେ ଉପସ୍ଥିତିକୁ ନେଇ କେବଳ ଭାଷଣବାଜି ଚାଲିଥିବା ବେଳେ ବାସ୍ତବରେ ରୋଗୀ ହନ୍ତସନ୍ତ ହେଉଛନ୍ତି।
ସାମ୍ବାଦିକଙ୍କୁ ବୈଠକରୁ ଦୂରେଇ ରଖିବା ଏବଂ ବିଧାୟକଙ୍କ ପ୍ରଶ୍ନର ସାମ୍ନା ନ କରିପାରିବା ପ୍ରମାଣ କରୁଛି ଯେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ସବୁ କିଛି ଠିକ୍ ଚାଲିନାହିଁ। ଆମ୍ବୁଲାନ୍ସ ଓ ଜନରେଟର ତେଲ ଖର୍ଚ୍ଚ ନାଁରେ ଚାଲିଥିବା ଏହି ମହାଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ