Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍ଗୋମୁଣ୍ଡା ପୋଲିସର ନିଷ୍କ୍ରିୟତା: ମହିଳାଙ୍କ ସ୍କୁଟି ଜବରଦସ୍ତ ଛଡ଼ାଇନେଲେ ଦୁର୍ବୃତ୍ତ, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା ।

ବଲାଙ୍ଗୀର,୩।୬: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ଏବେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ମହିଳାଙ୍କ ସ୍କୁଟିକୁ ଦିନଦ୍ୱିପ୍ରହରରେ ଜବରଦସ୍ତି ଛଡ଼ାଇ ନେବା ଭଳି ସଂଗୀନ ଅଭିଯୋଗ ଆସିଥିଲେ ମଧ୍ୟ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶେଷରେ ଥାନାରୁ ନ୍ୟାୟ ନମିଳିବାରୁ ପୀଡ଼ିତା ମହିଳା ଜଣକ ବଲାଙ୍ଗୀର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ୨୦୨୫ରେ ବଙ୍ଗୋମୁଣ୍ଡା ଗୋଲାଇ ଛକ ନିକଟରେ ପୀଡ଼ିତା ମହିଳାଙ୍କୁ କିଛି ବ୍ୟକ୍ତି ଅଟକାଇଥିଲେ। ସେଠାରେ ଦାଦାଗିରି କରି ସେମାନେ ମହିଳାଙ୍କ ସ୍କୁଟିକୁ ଜବରଦସ୍ତି ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ପରେ ଭୟଭୀତ ପୀଡ଼ିତା ଜଣକ ସଙ୍ଗେ ସଙ୍ଗେ ବଙ୍ଗୋମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଦୀର୍ଘ ସମୟ ବିତିଯାଇଥିଲେ ସୁଦ୍ଧା ବଙ୍ଗୋମୁଣ୍ଡା ପୋଲିସ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଦୋଷୀଙ୍କୁ ଗିରଫ କରିବା କିମ୍ବା ଗାଡ଼ି ଜବତ କରିବା ଦିଗରେ ପୋଲିସର ଟାଳଟୁଳ ନୀତି ଯୋଗୁଁ ପୀଡ଼ିତା ଜଣକ ଦୀର୍ଘ ଦିନ ହେଲା ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି।
ସ୍ଥାନୀୟ ଥାନାରୁ ନିରାଶ ହେବା ପରେ, ଶେଷରେ ପୀଡ଼ିତା ଜଣକ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେ ଏସ୍‌ପିଙ୍କୁ ଭେଟି ନିଜର ଦୁଃଖ ଜଣାଇବା ସହ ଘଟଣାର ଏକ ନିରପେକ୍ଷ ତଦନ୍ତ କରିବା ଏବଂ ଗାଡ଼ି ଛଡ଼ାଇ ନେଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ବର୍ତ୍ତମାନ ଦେଖିବାକୁ ବାକି ରହିଲା ଜିଲ୍ଲା ପୋଲିସ ମୁଖ୍ୟଙ୍କ ହସ୍ତକ୍ଷେପ ପରେ ବଙ୍ଗୋମୁଣ୍ଡା ପୋଲିସ ଚେତିବ କି ନାହିଁ ଏବଂ ପୀଡ଼ିତାଙ୍କୁ କେବେ ସୁଦ୍ଧା ନ୍ୟାୟ ମିଳୁଛି।
ଏନେଇ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନଙ୍କୁ ପଚାରିବାରୁ ମାମଲା ରୁଜୁ କରାଯାଇ ସଠିକ୍ ଭାବେ ତଦନ୍ତ କରାଯାଇଛି । ତଦନ୍ତ ବେଳେ ଜଣାପଡିଥିଲା ଯେ ସଂପୃକ୍ତ ମହିଳାଙ୍କ ସ୍କୁଟି ତାଙ୍କ ଫାଇନାନ୍ସ କମ୍ପାନୀର ବଲାଙ୍ଗୀର ସୋ ରୁମ୍ ରେ ଥିବା ଜଣାପଡିଥିଲା । ସଂପୃକ୍ତ ମହିଳା ଜଣକ ତାଙ୍କ ସ୍କୁଟିକୁ ବଲାଙ୍ଗୀର ସୋ ରୁମ୍ ଯାଇ ଫାଇନାନ୍ସ କର୍ମଚାରୀ ତଥା ସୋ ରୁମ୍ କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ଆଣିବା କଥା ତେବେ ବଲାଙ୍ଗୀର ସୋ ରୁମ୍ କୁ ସଂପୃକ୍ତ ମହିଳା ଯାଇଥିବା ବେଳେ ସେଠାରେ ତାଙ୍କ ସ୍କୁଟି ଡିସପୋଚ୍ ହୋଇଥିବା କହିଥିଲେ । ଏନେଇ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟାରେ ଅଧିକ ଜଣାପଡିବ ବୋଲି କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories