ଜନ୍ମମାଟିରେ ସାମ୍ବାଦିକ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ଶ୍ରଦ୍ଧାଞ୍ଜଳି ସଭା: ଅଞ୍ଚଳରେ ଶୋକର ଛାୟା ।
ବଲାଙ୍ଗୀର, ୩।୬: “ପ୍ରମେୟ ନ୍ୟୁଜ୍ ସେଭେନ୍”ର କଣ୍ଟାବାଞ୍ଜି ପ୍ରତିନିଧି ତଥା ଦୈନିକ “ସମାଜ” ଖବରକାଗଜର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ବିଶିଷ୍ଟ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗରେ ଆଜି ତାଙ୍କ ନିଜ ଗ୍ରାମ ତଥା ଜନ୍ମମାଟି ଗୋଇମୁଣ୍ଡଠାରେ ତାଙ୍କ ଏକାଦଶାହ ଉପଲକ୍ଷେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡ ଗ୍ରାମର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ସଭାରେ ଶତାଧିକ ବୁଦ୍ଧିଜୀବୀ, ରାଜନେତା ଓ ସାମ୍ବାଦିକ ଯୋଗଦେଇ ଦିବଙ୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଅତ୍ୟାଧିକ ରକ୍ତଚାପ (High Blood Pressure) ଯୋଗୁଁ ଗତ ଜୁନ୍ ୨୧ ତାରିଖ ଦିନ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ଶ୍ରୀ ଭୋଇଙ୍କର ପରଲୋକ ହୋଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଭୋଇଙ୍କ ପରିବାର ବର୍ଗ— ବାପା ଜଳଧର ଭୋଇ, ମାଆ ପଦ୍ମାବତୀ ଭୋଇ, ସ୍ତ୍ରୀ ଦେବକୀ ଭୋଇ, ୧୫ ବର୍ଷର ଝିଅ ଲିପସାରାଣୀ ଓ ୧୨ ବର୍ଷର ଝିଅ ଲିଲିମା ଭୋଇ ଉପସ୍ଥିତ ଥିଲେ। ସ୍ମୃତିଚାରଣ ସମୟରେ ସ୍ୱର୍ଗତ ଭୋଇଙ୍କ ସ୍ମୃତିକୁ ମନେପକାଇ ପରିବାର ଓ ଉପସ୍ଥିତ ଲୋକେ ଭାବବିହ୍ୱଳ ହୋଇପଡ଼ିଥିଲେ, ଯାହାଦ୍ୱାରା ସାରା ପରିବେଶରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ଉପସ୍ଥିତ ଅତିଥି, ସାମ୍ବାଦିକ ଓ ଶୁଭେଚ୍ଛୁମାନେ ସ୍ୱର୍ଗତ ଭୋଇଙ୍କ ଆଲୋକଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ର ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡ଼ଃ ନାରାୟଣ ମିଶ୍ର ସଂଯୋଜନା କରିଥିଲେ।
ସଭାରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ସ୍ୱର୍ଗତ ଭୋଇଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ସେ ଜଣେ ସରଳ, ପରୋପକାରୀ, ମେଳାପୀ ଓ ଅମାୟିକ ବ୍ୟକ୍ତି ଥିଲେ ବୋଲି ଅତିଥିମାନେ ପ୍ରକାଶ କରିବା ସହ ଅଞ୍ଚଳ ଜଣେ ଦକ୍ଷ ବରିଷ୍ଠ ସାମ୍ବାଦିକଙ୍କୁ ହରାଇଲା, ଯାହା ସ୍ଥାନୀୟ ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ।
ରାଜନେତା ଓ ସମାଜସେବୀ: ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ‘ରାଷ୍ଟ୍ର ଭାରତୀ’ର ପ୍ରତିଷ୍ଠାତା ସୁରଥ ବେହେରା, ବରିଷ୍ଠ ବିଜେଡି ନେତା ଅଜିତ କୁମାର ଯୋଶୀ, ଆଦିବାସୀ ନେତା ସୁରେଶ ଭୋଇ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଳକ ପ୍ରତିନିଧି ଅନିଲ ନାଏକ, ବିଜେପି ନେତା ନରସିଂହ ଥନାପତି, ଗୋଇମୁଣ୍ଡ ଦୁର୍ଗାପୂଜା କମିଟି ସଭାପତି ଅକ୍ଷୟ ସାହୁ।
ବରିଷ୍ଠ ସାମ୍ବାଦିକ ଗୁରୁଦୟାଲ ହଂସ, ଜୀବନାନନ୍ଦ ମହାନ୍ତି, କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ସଭାପତି ମୋହନ ସୋନି, କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି ପ୍ରଭିଜିତ ସିଂ ସାଲୁଜା, ସାମ୍ବାଦିକ ପୁଷ୍ପକେତୁ ବେହେରା, ଅନ୍ତିମ ପାଣିଗ୍ରାହୀ, ଟିଟିଲାଗଡ଼ ସାମ୍ବାଦିକ ଅଶୋକ ତ୍ରିପାଠୀ, ସୁରଦାସ ବାଗ ଓ ଈଶ୍ୱର ଭୋଇ।
କୋଶଳୀ କବି ଭକ୍ତବନ୍ଧୁ ସାହୁ, ବଙ୍ଗୋମୁଣ୍ଡା ଓଡ଼ିଶା ଜୀବିକା ମିଶନର ବିପିଏମ ଡ଼ଃ ସତ୍ୟପ୍ରିୟ ବେହେରା, ମହାଦେବ ମାଝୀ, ରାଧେଶ୍ୟାମ ମେହେର, କଣ୍ଠଶିଳ୍ପୀ ରେଣୁରଞ୍ଜନ ବାଗ, ତେଜୁରାମ ବାଗ ଏବଂ ଲେଖାରାମ ଭୋଇ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସଂପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ଉପ-ସଭାପତି ସୁଶାନ୍ତ ବେହେରା, ରାଧେଶ୍ୟାମ ମେହେର, ଉପ-ସଭାପତି ଅନିଲ ତ୍ରିପାଠୀ, ସୁଶାନ୍ତ ଥନାପତି ଏବଂ ସ୍ୱେଚ୍ଛାସେବୀ ପ୍ରଭୁଲାଲ ବେହେରା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ସହିତ ବଙ୍ଗୋମୁଣ୍ଡା, ସିନ୍ଧେକେଲା, ମୁରିବାହାଲ, କଣ୍ଟାବାଞ୍ଜି, ତୁରେକେଲା, ଖଡ଼ିଆଳ, ଟିଟିଲାଗଡ଼ ଓ ବଲାଙ୍ଗୀର ଅଞ୍ଚଳର ବହୁ ସଂଖ୍ୟକ ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସ୍ୱର୍ଗତ ଭୋଇଙ୍କ ପ୍ରତି ଶେଷ ସମ୍ମାନ ଜଣାଇଥିଲେ।

