ବୀରମହାରାଜପୁର ମେଳଣ ପଡିଆ ଓ ପରିବା ବଜାର ରେ ଜଳବନ୍ଦୀ ସମସ୍ୟା ଉପରେ ଆଲୋଚନା
ବୀରମହାରାଜପୁର : ବିଭିନ୍ନ ମିଡିଆରେ ଖବର ପ୍ରସାରଣ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମେଳଣ ପଡ଼ିଆ ଓ ଦୈନିକ ପରିବା ବଜାରରୁ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ପ୍ରଶାସନିକ ତତ୍ପରତା ଦେଖାଯାଇଛି I ସାମାନ୍ୟ ବର୍ଷା ହେଲେ ମେଲଣ ପଡ଼ିଆ ଓ ଦୈନିକ ପରିବା ବଜାରରେ ଆଣ୍ଠୁଏ ପାଣି l ମେଳଣ ପଡିଆର ଚାରିପାଖରେ ତହସିଲ , ବ୍ଲକ, ବରିଷ୍ଠ ନାଗରିକ ସଂଗଠନ, ରେଜେଷ୍ଟ୍ରି , ଟ୍ରେଜେରୀ ଆଦି ବିଭିନ୍ନ କାର୍ଯ୍ୟାଳୟ ରହିଥିବାରୁ ସର୍ବଦା ଏହି ରାସ୍ତା ଦେଇ ଲୋକଙ୍କ ଗହଳି ସହିତ ଗାଡ଼ି ମୋଟର ଯିବା ଆସିବl ହୋଇଥାଏ l ଦୀର୍ଘ ଦିନର ଏହି ସମସ୍ୟା ସମ୍ପର୍କରେ ଏବେ ଜାଗ୍ରତ ହୋଇଛି ପ୍ରଶାସନ । ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ଆହ୍ୱାନ କ୍ରମେ ଆଜି ବ୍ଲକ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଛି ।
ଜଳ ନିଷ୍କାସନ ପାଇଁ ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି l
ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ଉପସ୍ଥିତିରେ ଜମି , ନାଳ ଚିହ୍ନଟ ପ୍ରକ୍ରିୟା ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା l ମେଳଣ ପଡ଼ିଆ ଓ ପରିବା ବଜାର ହେଉଛି ସହରର ହୃଦସ୍ପନ୍ଦନ । ଏଠାରେ ପାଣି ଜମି ରହିବା କେବଳ ବ୍ୟବସାୟୀଙ୍କ ପାଇଁ ନୁହେଁ, ବରଂ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି କରୁଛି । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଗଠନର କର୍ମକର୍ତ୍ତା ଓ ସାମ୍ବାଦିକ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ତେବେ ବ୍ଲକ ପ୍ରଶାସନ ଓ ଅଧିକାରୀଙ୍କ ଏହି ମିଳିତ ପ୍ରୟାସ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି ।

