Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ୟର ଜୀବନ ବଞ୍ଚାଇ ନିଜେ ହାରିଗଲେ ଜୀବନ ଯୁଦ୍ଧ: ମୃତ୍ୟୁ ପରେ ବି ମାନବିକତାର ପରିଚୟ ଦେଇ ଦୁଇ ଜଣଙ୍କୁ ଦେଇଗଲେ ନୂଆ ଦୃଷ୍ଟି ।

ବଲାଙ୍ଗିର,୩।୭: ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ଜୀବନ ଯୁଦ୍ଧରେ ନିଜେ ହାରିଗଲେ। ହେଲେ ମୃତ୍ୟୁ ପରେ ବି ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରି ଦୁଇ ଜଣଙ୍କୁ ନୂଆ ଦୃଷ୍ଟି ଦେଇ ସେ ସଂସାରରୁ ବିଦାୟ ନେଇଛନ୍ତି। ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମ ନିକଟରେ ଘଟିଛି ଏଭଳି ଏକ ହୃଦୟ ବିଦାରକ ତଥା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ସୂଚନା ଅନୁଯାୟୀ, ଫଟାମୁଣ୍ଡା ଗ୍ରାମ ନିକଟସ୍ଥ ରାସ୍ତା ଉପରେ ଜଣେ ବ୍ୟକ୍ତି ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ଏହା ଦେଖି ରେଙ୍ଗାଲବାହାଲ ଗ୍ରାମର ଉଜ୍ଵଲ୍ ପଟେଲ ମାନବିକତାର ପରିଚୟ ଦେଇ ସେହି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ। ସେ ତାଙ୍କୁ ଉଦ୍ଧାର କରି ରାସ୍ତା କଡ଼ରେ ଥିବା ଏକ ସୁରକ୍ଷିତ ସ୍ଥାନକୁ ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ସେ ନିଜେ ରାସ୍ତା ପାର ହେଉଥିବା ସମୟରେ ଏକ ଦ୍ରୁତଗାମୀ ବାଇକ୍ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଅକାଳ ବିୟୋଗର ଶିକାର ହୋଇଥିବା ଉଜ୍ଜଳ ପଟେଲ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ‘ମିଶନ ଶକ୍ତି’ ବିଭାଗରେ ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର (BPC) ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ଅତ୍ୟନ୍ତ ନିଷ୍ଠାପର, କର୍ତ୍ତବ୍ୟପରାୟଣ ଓ ଜନପ୍ରିୟ କର୍ମଚାରୀ ଥିଲେ। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ବିଭାଗୀୟ ସହକର୍ମୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ସମାଜ ପ୍ରତି ଓ ନିଜ କର୍ତ୍ତବ୍ୟ ପ୍ରତି ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ରହିବ ବୋଲି ସହକର୍ମୀମାନେ ପ୍ରକାଶ କରିଛନ୍ତି।
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘X’ (ପୂର୍ବତନ ଟ୍ୱିଟର) ମାଧ୍ୟମରେ ଏକ ଶୋକବାର୍ତ୍ତା ଜାରି କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ଅନ୍ୟକୁ ଜୀବନ ଦାନ କରି ନିଜେ ଆଖି ବୁଜିଥିବା ଏହି ମହାନାୟକଙ୍କ ପରୋପକାର ଗୁଣ ଓ ମୃତ୍ୟୁ ପରେ ଚକ୍ଷୁଦାନ କରି ଦୁଇ ଜଣଙ୍କୁ ନୂଆ ଦୁନିଆ ଦେଖାଇବାର ଏହି ମହତ ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପରେ ତାଙ୍କ ପରିବାର ମଧ୍ୟରେ କାନ୍ଦବୋବାଲର ପରିବେଶ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories