ଲଗାଣ ବର୍ଷା ସାଜିଲା କାଳ: କାନ୍ଥ ପଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର ।
ବଲାଙ୍ଗୀର,୫।୭: ବଲାଙ୍ଗୀର ଜିଲ୍ଲାରେ ଜାରି ରହିଥିବା ଲଗାଣ ବର୍ଷା ଏବେ ଗରିବ ଲୋକଙ୍କ ପାଇଁ କାଳ ସାଜିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଝାଟିମାଟି ଘର ଭାଙ୍ଗି ଜଣେ ନିରୀହ ଗରିବ ଲୋକଙ୍କ ଜୀବନ ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ କାନ୍ଥ ପଡ଼ିଯିବା ଫଳରେ ଚାପି ହୋଇ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ପଥର୍ଲା ପଞ୍ଚାୟତ ଲୁହୁରେନପାଲି ଗାଁରେ ଏଭଳି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଲୁହୁରେନପାଲି ଗ୍ରାମର ୬୫ ବର୍ଷୀୟ ବୃଦ୍ଧ ଗଣ୍ଡାରାମ କୁମ୍ଭାର ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ଗତକାଲି ରାତିରେ ନିଜ ଝାଟିମାଟି ଘରେ ଶୋଇଥିଲେ। ତେବେ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ହଠାତ୍ ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ମାଟି ଓ ଆସବାବପତ୍ର ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଘଟଣାସ୍ଥଳରେ ହିଁ ଗଣ୍ଡାରାମଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାରଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ହୃଦୟବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରତିବର୍ଷ ବର୍ଷା ଦିନେ ଏଭଳି କାନ୍ଥ ପଡ଼ି ଗରିବଙ୍କ ମୁଣ୍ଡ ନେଉଥିବା ବେଳେ ଗରିବ ଶ୍ରେଣୀର ଲୋକଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇବାରେ ପ୍ରଶାସନ କେତେଦୂର ସଫଳ ହୋଇଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତ ଓ ଆହତ ପରିବାରକୁ ତୁରନ୍ତ ସରକାରୀ ସହାୟତା ତଥା କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

