Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୀବନ ନେଲା ଅଜଣା ଗାଡ଼ି: ପୋଟଳ ବିକିବାକୁ ଯାଉଥିବା ନବବିବାହିତ ଯୁବଚାଷୀଙ୍କ ଦାରୁଣ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା ।

ବଲାଙ୍ଗୀର,୫।୭: ଦୁର୍ଘଟଣାରେ ଏକ ସଦ୍ୟ ବିବାହିତ ସଂସାର ଉଜୁଡ଼ି ଯାଇଛି ଏବଂ ଜଣେ ପରିଶ୍ରମୀ ଯୁବକଙ୍କ ସ୍ୱପ୍ନ ଅଧାରେ ରହିଯାଇଛି। ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ପଞ୍ଚାୟତ ଅନ୍ତର୍ଗତ ଖରବାହାଲି ଗ୍ରାମର ଜଣେ ଜଣାଶୁଣା ଯୁବଚାଷୀ ରୁଦ୍ର ମନହୀରା (୩୮) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଜଣେ ଅଜଣା ଗାଡ଼ିର ଚାଳକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ବାତାବରଣ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ରୁଦ୍ର ନିଜ ଜମିରୁ ଅମଳ କରିଥିବା ପୋଟଳ ବିକ୍ରି କରିବା ପାଇଁ ବାଇକ୍ ଯୋଗେ ଖଡ଼ିଆଳ ସହରକୁ ବାହାରିଥିଲେ। ହେଲେ ବଙ୍ଗୋମୁଣ୍ଡା ଗୋଲେଇ ଛକ ନିକଟରେ କାଳ ସାଜି ମାଡ଼ି ଆସିଥିଲା ଏକ ଅଜଣା ଗାଡ଼ି। ଗାଡ଼ିଟି ରୁଦ୍ରଙ୍କୁ ସମ୍ମୁଖରୁ ପ୍ରବଳ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଦୁର୍ଘଟଣାଟି ଭୋର ସମୟରେ ହୋଇଥିବାରୁ, ଗୁରୁତର ରୁଦ୍ର ସକାଳ ପର୍ଯ୍ୟନ୍ତ ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ବଙ୍ଗୋମୁଣ୍ଡା ପୋଲିସକୁ ଖବର ଦେଇଥିଲେ। ତାଙ୍କ ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିଲା। ପୋଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିବା ଡାକ୍ତର ଘୋଷଣା କରିଥିଲେ।
ଉଜୁଡ଼ିଗଲା ନବବିବାହିତ ସଂସାର, ସମାଜରେ ଥିଲା ସ୍ଵତନ୍ତ୍ର ପରିଚୟ:
ଖରବାହାଲି ଗ୍ରାମର କୀର୍ତ୍ତନ ମନହୀରାଙ୍କ ପୁଅ ମୃତ ରୁଦ୍ର ମାତ୍ର କିଛି ମାସ ତଳେ ହିଁ ଜନ୍ତାତରା (ଖୁଜେନପାଲି) ଗ୍ରାମର ଜଣେ ଯୁବତୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର କିଛି ମାସ ମଧ୍ୟରେ ସ୍ୱାମୀଙ୍କୁ ହରାଇ ସ୍ତ୍ରୀ ଓ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ରୁଦ୍ର କେବଳ ଜଣେ ପରିଶ୍ରମୀ ଚାଷୀ ନଥିଲେ, ବରଂ ଜିଲ୍ଲା ଯାଦବ ସମାଜର ଜଣେ ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ପଦପଦବୀରେ ରହି ସମଗ୍ର ଜିଲ୍ଲାରେ ସୁପରିଚିତ ଓ ସମସ୍ତଙ୍କର ପ୍ରିୟ ଥିଲେ।
ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ପକ୍ଷରୁ ଅଜଣା ଗାଡ଼ି ବିରୋଧରେ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଏହି ଦୁଃଖଦ ଖବର ପାଇ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୃତ ରୁଦ୍ରଙ୍କ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏହା ସହିତ ଦୁର୍ଘଟଣା ଘଟାଇ ଫେରାର ଥିବା ସେହି ଅଜଣା ଗାଡ଼ିକୁ ତୁରନ୍ତ ଚିହ୍ନଟ କରି ଗିରଫ କରିବାକୁ ଶ୍ରୀ ବାଗ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories