Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରକୀୟା ପ୍ରୀତିର କରୁଣ ପରିଣତି! ଘରଜ୍ଵାଇଁଙ୍କୁ ଯୋଜନାବଦ୍ଧ ହତ୍ୟା ଅଭିଯୋଗ; ପୋଲିସର ତଦନ୍ତ ଜାରୀ ।

ବଲାଙ୍ଗିର,୧୧।୭: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ମାଲିଶିରା ପଞ୍ଚାୟତର ଖରାଲି ଗ୍ରାମରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗ୍ରାମରେ ଘରଜ୍ଵାଇଁ ଭାବେ ରହୁଥିବା ହିରନ୍ ମାଝୀ (୪୫) ନାମକ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ଶ୍ଵଶୁର ଘରୁ ଉଦ୍ଧାର କରାଯାଇଛି। ତେବେ ଏହା ଆତ୍ମହତ୍ୟା ନୁହେଁ, ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ପକ୍ଷରୁ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ବେଲପଡ଼ା ଥାନା ଡୁଙ୍ଗୁରୀଗୁଡ଼ା ଗ୍ରାମର ସ୍ଵର୍ଗତ ଭୁବନ ମାଝୀଙ୍କ ପୁଅ ହିରନ୍ ମାଝୀ ପ୍ରାୟ ୧୭ ବର୍ଷ ତଳେ ଖରାଲି ଗ୍ରାମର ଉପାସୀ ମାଝୀଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସେ ଶ୍ଵଶୁର ଘରେ ହିଁ ନିଜର ୪ ଜଣ ପୁଅଝିଅଙ୍କ ସହ ରହୁଥିଲେ। ମାତ୍ର ବିଗତ କିଛି ଦିନ ହେବ ପତ୍ନୀଙ୍କ ପରକୀୟା ପ୍ରୀତିକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ତୀବ୍ର ପାରିବାରିକ କଳହ ଲାଗି ରହୁଥିଲା। ଏହି ବିବାଦର ସମାଧାନ ପାଇଁ ପୂର୍ବରୁ ବହୁବାର ଜାତି ସମାଜର ବୈଠକ ବସିଥିବା ବେଳେ ଗତ ରବିବାର (୦୫ ତାରିଖ) ଦିନ ମଧ୍ୟ ଉଭୟ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ଆପୋଷ ବୁଝାମଣା ହୋଇଥିଲା। ତେବେ ସେହି ଦିନଠାରୁ ହିରନ୍ ଅଶାନ୍ତ ଥିବା ଜଣାପଡ଼ିଛି।
ଗୁରୁବାର ଦିନ ଶ୍ଵଶୁରଙ୍କ ଏକ ନୂତନ ନିର୍ମିତ ଘରେ ହିରନ୍‌ଙ୍କ ମୃତଦେହ ରଶିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ପାଇ ମୁରିବାହାଲ ଥାନା ପୋଲିସ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତିତିଲାଗଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଅନ୍ୟପକ୍ଷରେ, ମୃତ ହିରନ୍‌ଙ୍କ ବଡ଼ଭାଇ ଅର୍ଜୁନ ମାଝୀ ପୋଲିସ ନିକଟରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ— ପତ୍ନୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଉପାସୀ ଓ ତାଙ୍କ ସହଯୋଗୀମାନେ ମିଶି ହିରନ୍‌ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଅନୁପସ୍ଥିତିରେ ଶବକୁ ଆରପାରି କରିବାକୁ ତିତିଲାଗଡ଼ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ମୁରିବାହାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଥାନା ଏସଆଇ (SI) ପଙ୍କଜିନୀ ବାଗ ଏହି ଘଟଣାର ସରଜମିନ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ (Post-mortem) ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଆଇଆଇସି (IIC) ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories