କୋଟପା ଆଇନ ଉଲ୍ଲଂଘନ: ଜମନକିରା ବଜାରରୁ ୨୩ ଅମାନିଆଙ୍କଠାରୁ ଜରିମାନା ଆଦାୟ
ଜମନକିରା : ସମ୍ବଲପୁର ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ସମ୍ବଲପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO), ଅବକାରୀ ବିଭାଗ, ପୋଲିସ ଏବଂ ତାଙ୍କ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ଜମନକିରା ବଜାର ଅଞ୍ଚଳରେ ଏକ ବିଶେଷ ମିଳିତ ଭାବେ ଚଢ଼ାଉ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ଏହି ଚଢ଼ାଉ ସମୟରେ ‘ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଜାତ ଦ୍ରବ୍ୟ ଅଧିନିୟମ’ (COTPA-୨୦୦୩) ର ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ୨୩ ଜଣ ବ୍ୟବସାୟୀ ଓ ଅମାନିଆଙ୍କୁ ଚିହ୍ନଟ କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କଠାରୁ ସର୍ବମୋଟ ୩,୯୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି।
ସର୍ବସାଧାରଣ ସ୍ଥାନରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଧୂମ୍ରପାନ ଏବଂ ନିଷିଦ୍ଧ ଅଞ୍ଚଳରେ ତମାଖୁ ବିକ୍ରିକୁ ରୋକିବା ପାଇଁ ଆଗାମୀ ଦିନରେ ଏହିପରି ଚଢ଼ାଉ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ନିୟମ ପାଳନ କରିବାକୁ ସମସ୍ତ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି।

