ଭାତପୁରା ଉଚ୍ଚ ବିଦ୍ୟାଳୟର ୩୩ତମ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଏକ ଅଗ୍ରଣୀ ଆବାସିକ ଉଚ୍ଚ ବିଦ୍ୟାଳୟ ଡିମିରିମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭାତପୁରା ର ୩୩ତମ ପ୍ରତିଷ୍ଠା ଦିବସ ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ରତନ ଲାଲ ସିଂଙ୍କ ସଭାପତିତ୍ବରେ ସ୍କୁଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁଚିଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ କରୁଣାକର କିଷାନ ମୁଖ୍ୟଅତିଥି, ସ୍କୁଲ ସ୍ଥାପନର ଅନ୍ୟତମ ଉଦ୍ୟୋକ୍ତା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ଚୌଧୁରୀ, ପରିଚାଳନା କମିଟି ସଭ୍ୟ ରୁଦ୍ର ନାରାୟନ ବେହେରା, ପୂର୍ବ ସମ୍ପାଦକ ନୃପଲାଳ ପଲେଇ, ଅବସର ପ୍ରାପ୍ତ ଶିକ୍ଷକ ଝସକେତନ ସାହୁ ଓ ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସିଂହ ଓ ସ୍ୱାମୀ ଶିବାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍କୁଲ ପ୍ରତିଷ୍ଠାର ଇତିହାସ ଏବଂ ବୃକ୍ଷ ରୋପଣର ଆବଶ୍ୟକତା ସମନ୍ଧରେ ଉଦବୋଧନ ଦେଇଥିଲେ। ପ୍ରାରମ୍ଭରେ ସହକାରୀ ଶିକ୍ଷକ ଖଗେଶ୍ୱର ନାୟକ ସ୍ଵାଗତ ଭାଷଣ ସହ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସୁମନ୍ତ ମହକୁଲ ଅତିଥି ପରିଚୟ ଓ ସୁବ୍ରତ ପଣ୍ଡା ଉତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଖେଳ ଶିକ୍ଷକ ପ୍ରଦୀପ୍ତ ବାରିକ ସ୍କୁଲ ଗଠନ ଓ ଆଜି ପର୍ଯ୍ୟନ୍ତ ହୋଇ ଥିବା ଉତ୍ଥାନ ପତନର ଇତିହାସ ଉଲ୍ଲେଖ କରି ପ୍ରଧାନ ଶିକ୍ଷକଙ୍କ ଭୂମିକାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବୃକ୍ଷ ରୋପଣ ଓ ଅନ୍ୟ ପ୍ରାଣୀ ସୁରକ୍ଷା ସମ୍ବନ୍ଧୀୟ ଲିଖିତ କୁଇଜ୍ ଓ ଭାଷଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ଏହା ପରେ ବନ ଓ ବନ୍ୟା ପ୍ରାଣୀ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେବା ସହ ଏକଶତ ୩୩ଟି ଚାରା ଅତିଥିଗଣଙ୍କ ସହ ଛାତ୍ରୀ ଛାତ୍ର ରୋପଣ କରିଥିଲେ। ଶେଷରେ ସଂସ୍କୃତ ଶିକ୍ଷୟିତ୍ରୀ ମଧୁମିତା ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

