ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗ: ଦୁର୍ଦ୍ଦାନ୍ତ ଅଭିଯୁକ୍ତ ବାବୁଲୁ ଓ ସହଯୋଗୀ ଗିରଫ, କୋର୍ଟ ଚାଲାଣ ।
ବଲାଙ୍ଗୀର,୧୪।୭: ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ତଥା ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଦୁର୍ଦ୍ଦାନ୍ତ ଅଭିଯୁକ୍ତ ବାବୁଲୁ ମହାନନ୍ଦ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବ୍ରାହ୍ମଣପଡ଼ା ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିବା ମାନି ମହାନନ୍ଦଙ୍କୁ ତାଙ୍କ ନିଜ ଭାଇ ବାବୁଲୁ ମହାନନ୍ଦ ପୂର୍ବରୁ ଅନେକ ଥର ଜୀବନରୁ ମାରିଦେବାକୁ ଧମକ ଦେଇ ଆସୁଥିଲେ। ତେବେ ଗତକାଲି ରାତିରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଅଭିଯୁକ୍ତ ବାବୁଲୁ ଏକ ମାରଣାସ୍ତ୍ର ଧରି ତାଙ୍କ ସହଯୋଗୀଙ୍କ ସହ ମାନି ମହାନନ୍ଦ ରହୁଥିବା ଭଡ଼ାଘରେ ଅତର୍କିତ ଭାବେ ପହଞ୍ଚିଥିଲେ। ସେଠାରେ ସେ ଭଉଣୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଭୟଭୀତ କରିବା ସହ ଗୁରୁତର ଧମକ ଚମକ ଦେଇଥିଲେ।
ଏହି ଘଟଣାକୁ ନେଇ ଭୀତତ୍ରସ୍ତ ଅଭିଯୋଗକାରିଣୀ ମାନି ମହାନନ୍ଦ ସ୍ଥାନୀୟ ଟାଉନ୍ ଥାନାରେ ଏକ ଲିଖିତ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେଶ ନମ୍ବର ୩୫୧/୨୦୨୬ ଅନୁଯାୟୀ ଏକ ସଙ୍ଗୀନ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତତ୍ପରତା ପ୍ରକାଶ କରି ମୁଖ୍ୟ ଅଭିଯୁକ୍ତ ବାବୁଲୁ ମହାନନ୍ଦ ଓ ତାଙ୍କ ସହଯୋଗୀଙ୍କୁ କାବୁ କରିବାରେ ସଫଳ ହୋଇଛି ଏବଂ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଟାଉନ୍ ଥାନା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗିରଫ ହୋଇଥିବା ଅଭିଯୁକ୍ତ ବାବୁଲୁ ମହାନନ୍ଦ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାମରେ ପୂର୍ବରୁ ମଧ୍ୟ ଅଞ୍ଚଳର ବିଭିନ୍ନ ଥାନାରେ ଅନେକ ସଙ୍ଗୀନ ଅପରାଧିକ ମାମଲା ରହିଛି। ପୋଲିସ ଏହି ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

