Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାବୀ ପୂରଣ ନହେଲେ ପାଣିରେ ବୁଡ଼ି ମରିବୁ ପଛେ ଗାଁ ଛାଡ଼ିବୁନି: ଜିଲ୍ଲା ପ୍ରଶାସନ ସହ ଆଲୋଚନାରେ କୁମିଆଁପାଲି ଆଦିବାସୀଙ୍କ ଚେତାବନୀ।

ବଲାଙ୍ଗୀର,୧୫।୭: ଲୋୟର ସୁକତେଲ ପ୍ରକଳ୍ପର ବୁଡ଼ି ଅଞ୍ଚଳ କୁମିଆଁପାଲି ଗ୍ରାମର ବିସ୍ଥାପିତ ଆଦିବାସୀ ପରିବାରଙ୍କ ପୁନର୍ବାସ ଓ କ୍ଷତିପୂରଣ ଦାବିକୁ ନେଇ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ଏବଂ ଆଦିବାସୀ ପ୍ରତିନିଧି ଦଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଡ୍ୟାମ୍ ନିମ୍ନଭାଗରେ ଥିବା ପ୍ରକଳ୍ପ କାର୍ଯ୍ୟାଳୟଠାରେ ପ୍ରଶାସନ ତରଫରୁ ଏହି ବୈଠକ ଡକାଯାଇଥିଲା। ତେବେ ଦାବି ପୂରଣ ନହେଲେ ଜୀବନ ଦେବୁ ପଛେ କୌଣସି କ୍ଷତିପୂରଣ ନେଇ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ବିସ୍ଥାପିତମାନେ ପ୍ରଶାସନ ସାମ୍ନାରେ ସ୍ପଷ୍ଟ ଜଣାଇ ଦେଇଛନ୍ତି।
ଏହି ବୈଠକରେ କୁମିଆଁପାଲି ଗ୍ରାମର ଏକ ୮ ଜଣିଆ ଆଦିବାସୀ ପ୍ରତିନିଧି ଦଳ ସାମିଲ ହୋଇଥିଲେ। ଏହି ଦଳରେ ପ୍ରେମରାଜ ବରିହା, ରାମଚନ୍ଦ୍ର ବରିହା, ଡମ୍ବରୁ ବରିହା, ଗନ୍ଧର୍ବ ବରିହା, ମଦନ ବରିହା, କନ୍ଦର୍ପ ବରିହା, ପ୍ରଫୁଲ୍ଲ ବରିହା ଓ ପ୍ରତାପ ବରିହା ପ୍ରମୁଖ ଉପସ୍ଥିତ ରହି ନିଜର ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ସେମାନଙ୍କର ମୁଖ୍ୟ ୩ଟି ଦାବି ହେଉଛି:
ଧାରା ୧୧(୧) (Eleven One) ର ସଂଶୋଧନ, କଟ୍-ଅଫ୍ ଡେଟ୍ (Cut-off Date) ର ନୂତନ ନିର୍ଦ୍ଧାରଣ, ୧୩-ଆର୍ (13-R) ନିୟମ ଅନୁଯାୟୀ ଉପଯୁକ୍ତ ଥଇଥାନ ଓ ପୁନର୍ବାସ ।
“ଯଦି ପ୍ରଶାସନ ଆମର ଏହି ତିନୋଟି ମୁଖ୍ୟ ଦାବିକୁ ସଠିକ୍ ଭାବେ ପୂରଣ ନକରେ, ତେବେ ଆମେ କୌଣସି ପ୍ରକାରର କ୍ଷତିପୂରଣ ରାଶି ଗ୍ରହଣ କରିବୁ ନାହିଁ କି ଗାଁ ଛାଡ଼ିବୁ ନାହିଁ। ପ୍ରକଳ୍ପ ପାଣିରେ ବୁଡ଼ି ପ୍ରାଣ ଦେବାକୁ ଆମେ ପଛାଇବୁ ନାହିଁ, ହେଲେ ଅନ୍ୟାୟରେ ନିଜ ଭିଟାମାଟି ହରାଇବୁ ନାହିଁ।”
ବିସ୍ଥାପିତଙ୍କ ସହ ଆଲୋଚନା ଓ ମଧ୍ୟସ୍ଥତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (AC) ଅଜୟ ବେହେରା, ପି.ଡି.ଏଲ୍.ଓ (P.D, L.O) ସୁଶିଲ କୁଅଁର ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ଓ ମଧ୍ୟସ୍ଥତା ପାଇଁ ପୋଲିସ ପ୍ରଶାସନ ତରଫରୁ ସଦର ଏସ.ଡି.ପି.ଓ ଏବଂ ସଦର ଆଇ.ଆଇ.ସି (OIC) ଉପସ୍ଥିତ ଥିବା ବେଳେ ଜିଲ୍ଲା ଆଦିବାସୀ ନେତା ସତ୍ୟ ଭୋଇ ମଧ୍ୟ ଏହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଦୀର୍ଘ ସମୟ ଧରି ଚାଲିଥିବା ଏହି ଆଲୋଚନାରେ ପ୍ରଶାସନ ପକ୍ଷରୁ ସକାରାତ୍ମକ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ, ବିସ୍ଥାପିତମାନେ ନିଜର ଦାବି ପୂରଣର ସ୍ଥାୟୀ ସମାଧାନ ଚାହିଁଛନ୍ତି। ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମୟରେ ଆଦିବାସୀ ପରିବାରଙ୍କ ଏହି ସ୍ୱର ଆଗାମୀ ଦିନରେ ପ୍ରଶାସନ ପାଇଁ କେତେ ବଡ଼ ଆହ୍ୱାନ ସୃଷ୍ଟି କରୁଛି, ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories