ପ୍ରତିଶୋଧ ପରାୟଣ ପ୍ରେମିକର ନିଷ୍ଠୁର କାଣ୍ଡ: ପ୍ରେମିକାକୁ ଛୁରାମାଡ଼ ପରେ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଅଭିଯୁକ୍ତ ମୁନ୍ନା ବେହେରାର ମୃତ୍ୟୁ !
ବଲାଙ୍ଗୀର,୧୫।୭: ଅନୈତିକ ପ୍ରେମ ସମ୍ପର୍କକୁ ନେଇ ବଲାଙ୍ଗୀର ଜିଲ୍ଲା ବେଲପଡା ରକ୍ତାକ୍ତ। ପ୍ରେମିକର ଛୁରା ମାଡ଼ରେ ପ୍ରେମିକା ଗୁରୁତର ହୋଇଥିବା ବେଳେ ଉତ୍ୟକ୍ତ ଲୋକଙ୍କ ପଥର ମାଡ଼ରେ ପ୍ରେମିକ ମୁନ୍ନା ବେହେରାର ମୃତ୍ୟୁ ହୋଇଛି।
୧୦ ବର୍ଷ ପୂର୍ବରୁ ଏକ କୁକୁଡ଼ା ଫାର୍ମରେ କାମ କରିବା ସମୟରେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସହ ଅଭିଯୁକ୍ତ ପ୍ରେମିକ ମୁନ୍ନା ବେହେରାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛି ବର୍ଷ ଉଭୟ ଏକାଠି ରହିବା ପରେ କୌଣସି କାରଣକୁ ନେଇ ମହିଳା ଜଣକ ଝିଅକୁ ନେଇ ଅଲଗା ହୋଇଯାଇଥିଲେ। ଏ ନେଇ ଅଭିଯୁକ୍ତ ମହିଳାଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଗତ ଜୁନ୍ ୨୯ ତାରିଖରେ ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଥିଲା। ଏହାକୁ ନେଇ ମହିଳା ଜଣକ ବେଲପଡା ଥାନାରେ ଅପହରଣ ନେଇ ଏତଲା ଦେଇଥିଲେ। ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା।
ପରେ ପ୍ରତିଶୋଧ ପରାୟଣ ହୋଇ ଆଜି ଏକ ମାରଣାସ୍ତ୍ର ଧରି ମହିଳାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ। ମହିଳାଙ୍କ ପାଟି ଶୁଣି ଅଭିଯୁକ୍ତକୁ ସ୍ଥାନୀୟ ଲୋକେ କାବୁ କରିଥିଲେ। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଅଭିଯୁକ୍ତ ମୁନ୍ନା ବେହେରାର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୁନ୍ନାର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

