ପ୍ରେମ, ପ୍ରତାରଣା ଓ ହତ୍ୟାକାଣ୍ଡ: ବିବାହ ଜିଦ୍ ପାଇଁ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କଲା ପ୍ରେମିକ ଓ ପ୍ରେମିକର ଦୁଇ ସହଯୋଗୀ
ଜମନକିରା : ପ୍ରେମର କରୁଣ ପରିଣତି। ବିବାହର ପ୍ରତିଶ୍ରୁତି ଦେଇ ଶେଷରେ ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରାଯାଇଛି। ଗତ ଗୁରୁବାରଠାରୁ ନିଖୋଜ ଥିବା ସରିତା ସା (୨୪) ଙ୍କ କ୍ଷତ ବିକ୍ଷତ ମୃତଦେହକୁ ସମ୍ବଲପୁର-ଦେବଗଡ଼ ଜାତୀୟ ରାଜପଥ-୪୯ ର ବଡ଼ରମା ଘାଟି ତଳୁ ପୁଲିସ୍ ଉଦ୍ଧାର କରିଛି। ଏହି ନୃଶଂସ କାଣ୍ଡରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ପ୍ରେମିକ କୁଚିଣ୍ଡା ଥାନା ଅନିଲ ପୁସେଠ୍ (୩୬) ଏବଂ ତାଙ୍କୁ ସହଯୋଗ କରିଥିବା ବୋଲେରୋ ଡ୍ରାଇଭର ସୁନ୍ଦରଗଡ ଜିଲ୍ଲାର ଅଶୋକ କିସାନ(୩୩) ଓ ଅଶୋକ ର ପୁତୁରା ସମ୍ବିତ ମାକର (୨୦)କୁ କୁଚିଣ୍ଡା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଅଭିଯୁକ୍ତ ଅନିଲ ଓ ଅଶୋକ କୁ କୋର୍ଟ ଚାଲାଣ କରିଥିବା ବେଳେ ଆଜି ସମ୍ବିତ କୁ କୋର୍ଟ ଚାଲାଣ କରାଯାଇଛି। ତେବେ କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଏସଡିପିଓ ପ୍ରଦୀପ କୁମାର ଦାଶ ପ୍ରକାଶ କରିଛନ୍ତି।
ପୁଲିସ୍ର ସୂଚନା ଅନୁଯାୟୀ, ମୃତ ସରିତା କୁଚିଣ୍ଡା ଟାଉନ୍ ହଲ୍ ନିକଟସ୍ଥ ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ। ସେଠାରେ ତେଲିକୁଣ୍ଡାପୋଷି ଗାଁର ଅନିଲ ପୁସେଠ୍ (୩୬) ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା ଏବଂ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ସମ୍ପର୍କ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିଲା ଏବଂ ଉଭୟଙ୍କ ପରିବାର ମଧ୍ୟ ଏ ବିଷୟରେ ଅବଗତ ଥିଲେ।
ତେବେ ସରିତା ଯେତେବେଳେ ବିବାହ ପାଇଁ ଜିଦ୍ ଧରିଲେ, ଅନିଲ ସେତେବେଳେ ଏହାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲା। ସରିତା ନିଜ ଜିଦ୍ରେ ଅଟଳ ରହିବାରୁ, ଅନିଲ ତାଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଏକ ଭୟଙ୍କର ଚକ୍ରାନ୍ତ ରଚିଥିଲା।
ଗତ ୧୭ ତାରିଖ ଗୁରୁବାର ସନ୍ଧ୍ୟାରେ ବୁଲାଇ ନେବା ବାହାନାରେ ଅନିଲ ତାଙ୍କ ବନ୍ଧୁ ଅଶୋକର ବୋଲେରୋ ଗାଡ଼ିରେ ସରିତାଙ୍କୁ କୁଚିଣ୍ଡାରୁ ଜମନକିରା ଆଡ଼କୁ ନେଇଯାଇଥିଲା। ଗାଡ଼ିର ପଛ ସିଟ୍ରେ ବସି କଥା ହେଉଥିବା ସମୟରେ, ଅନିଲ ହଠାତ୍ ସରିତାଙ୍କ ଓଢ଼ଣୀରେ ତାଙ୍କ ତଣ୍ଟି ଚିପି ଶ୍ବାସରୁଦ୍ଧ କରିଦେଇଥିଲା। ସରିତାଙ୍କ ମୃତ୍ୟୁ ହେବା ପରେ, ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତିନି ଅଭିଯୁକ୍ତ ମିଶି ମୃତଦେହକୁ ବଡ଼ରମା ଘାଟି ତଳକୁ ଫିଙ୍ଗି ଫେରାର ହୋଇ ଯାଇଥିଲେ।ସରିତା ନିଖୋଜ ହେବା ପରେ ତାଙ୍କ ପରିବାର ଲୋକେ ଅନିଲ ବିରୋଧରେ ଅପହରଣ ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ପ୍ରଥମେ ଅନିଲକୁ ଅଟକ ରଖି ଜେରା କରିଥିଲା। ପୁଲିସ୍ର କଡ଼ା ପଚରା ଉଚରା ଆଗରେ ଅନିଲ ନିଜର ଅପରାଧ ସ୍ବୀକାର କରିଥିଲା। ଅନିଲର ବୟାନ ଆଧାରରେ ଶନିବାର ମୃତଦେହ ଠାବ କରାଯାଇଛି ଏବଂ ପରିବାର ଲୋକେ ତାଙ୍କ ପୋଷାକ ଓ ମୁହଁ ଦେଖି ଚିହ୍ନଟ କରିଛନ୍ତି। ହତ୍ୟାରେ ବ୍ୟବହୃତ ଓଢ଼ଣୀ ଓ ବୋଲେରୋ ଗାଡ଼ିକୁ ଜବତ କରାଯାଇଛି। ସମ୍ବଲପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମାମଲାର ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ଏସଡିପିଓ ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି।

