ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କୁ ଲେଖିଥିବା ଗୃହରକ୍ଷୀଙ୍କ ଇଚ୍ଛାମୃତ୍ୟୁ ନିବେଦନ; ସହି ହେଉନି, ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ


ନୂଆଦିଲ୍ଲୀ: ଜଣେ ଗୃହରକ୍ଷୀଙ୍କ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ନିବେଦନ ନେଇ ଲେଖିଥିବା ଭାବବିହ୍ବଳ ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଗୃହରକ୍ଷୀ ଜଣକ ହେଉଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଂଜନ ମଲ୍ଲିକ । ତାଙ୍କ ଘର ଜାଜପୁର ଜିଲ୍ଲା ବରି ରାମଚନ୍ଦ୍ର ପୁର ଗାଁରେ  । ସେ ଏବେ ଯାଜପୁର ଜିଲ୍ଲା ଓଡ଼ିଶା ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ଭାବେ କାର୍ଯ୍ୟରତ ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଜଣେ ଗୃହରକ୍ଷୀ । ଏ ଦେଶର ନାଗରିକ । ଓଡ଼ିଶା ହାଇକୋର୍ଟଙ୍କଠାରୁ ମୋତେ ନ୍ୟାୟ ମିଳିଲାନି । ସୁପ୍ରିମକୋର୍ଟ ନ୍ୟାୟ ଦେଲେ ମଧ୍ୟ ନ୍ୟାୟ ମିଳିଲା ନାହିଁ । ଏବେ ମୁଁ ମୋର ପରିବାର ପୋଷିବାକୁ ଅକ୍ଷମ । ମୁଁ ଏବେ ଅସହାୟ । ମୋର ନ୍ୟାୟ ପାଳିକା, ଆଇନ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଉପରୁ ଆସ୍ଥା ତୁଟି ଗଲାଣି । ତେଣୁ ମୋତେ ଇଚ୍ଛା ମୃତ୍ୟୁ ନିମନ୍ତେ ଅନୁମତି ମିଳୁ । ଏମିତି ଭାବବିହ୍ୱଳ ଚିଠି ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି ଜଣେ ହୋମଗାର୍ଡ ।

ସେ ଆହୁରି କହିଛନ୍ତି ଯେ, ଖାଲି ମୁଁ ନୁହେଁ, ମୋ ପରି ୧୭ ହଜାର ଗୃହରକ୍ଷୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାସଂଘର ସଭାପତି ଭାବେ ସେମାନଙ୍କୁ ନ୍ୟାୟ ଦେଇ ପାରୁ ନ ଥିବାରୁ ମୁଁ ଲଜ୍ଜିତ। ସେ ମାନସିକଭାବେ ନିଜକୁ ଅପରାଧୀ ମନେ କରୁଥିବା କହିଛନ୍ତି ।

ରାଜ୍ୟ ସରକାରଙ୍କ ଆଇଜିଆରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ଅଛନ୍ତି । ହେଲେ ଗୃହରକ୍ଷୀମାନଙ୍କ ପ୍ରତି ସରକାରୀ ଅବହେଳା ତାଙ୍କ ପାଇଁ ଅସହ୍ୟ ହୋଇପଡିଛି ।