ଆମ ଗାଁ ବୁଡ଼ିଗଲେ ବୁଡ଼ି ଯାଉ, ସର୍ତ୍ତ ନ ପୂରଣ ହେଲେ ଗାଁ ଛାଡ଼ିବୁ ନାହିଁ: ଲୋୟର ସୁକତେଲ ବୁଡ଼ି ଅଞ୍ଚଳ କୁମିଆପାଲିରେ ପ୍ରଶାସନ ବିରୋଧରେ ଗ୍ରାମବାସୀଙ୍କ ଗର୍ଜନ ।
ବଲାଙ୍ଗୀର,୨୧।୭: “ଗାଁ ବୁଡ଼ିଗଲେ ବୁଡ଼ି ଯାଉ, ପଛକେ ପ୍ରାଣ ଯାଉ, କିନ୍ତୁ ଦାବି ପୂରଣ ନ ହେବା ଯାଏଁ ଆମେ ମାଟି ଛାଡ଼ିବୁ ନାହିଁ।” ଏହି ନିର୍ଭୀକ ତଥା ଆକ୍ରୋଶପୂର୍ଣ୍ଣ ଚେତାବନୀ ଶୁଣିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ କୁମିଆପାଲି ଗ୍ରାମରେ। ବର୍ଷ ବର୍ଷ ଧରି ବିକାଶ ନାଁରେ ପ୍ରବଞ୍ଚନାର ଶିକାର ହୋଇଥିବା ଗ୍ରାମବାସୀ ଏବେ ପ୍ରଶାସନିକ ଅବହେଳା ବିରୁଦ୍ଧରେ ସୀମା ପାର୍ କରିସାରିଛନ୍ତି।
ଲୋୟର ସୁକତେଲ ପ୍ରକଳ୍ପର ଜଳଭଣ୍ଡାର ବୁଡ଼ି ଅଞ୍ଚଳ ମଧ୍ୟରେ ଅବସ୍ଥିତ କୁମିଆପାଲି ଗ୍ରାମକୁ ତୁରନ୍ତ ଖାଲି କରିବାକୁ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି। ଆଗାମୀ ବର୍ଷା ଦିନରେ ଗ୍ରାମଟି ସମ୍ପୂର୍ଣ୍ଣ ଜଳମଗ୍ନ ହେବାର ଆଶଙ୍କା ଥିବାରୁ ସ୍ଥାନାନ୍ତର ପାଇଁ ପ୍ରଶାସନ ଚାପ ପକାଉଛି। କିନ୍ତୁ ଅନ୍ୟପଟେ, ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ପୁନର୍ବାସ, ନ୍ୟାୟପୂର୍ଣ୍ଣ କ୍ଷତିପୂରଣ ଏବଂ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଅନେକ ଆଦିବାସୀ ପରିବାର ପ୍ରଶାସନର ଏହି ଏକତରଫା ନିଷ୍ପତ୍ତିକୁ ସାମ୍ନାସାମ୍ନି ଚ୍ୟାଲେଞ୍ଜ କରିଛନ୍ତି। ଉପଯୁକ୍ତ ସମାଧାନ ନ ହେବା ପର୍ଯ୍ୟନ୍ତ ଭିଟାମାଟି ନ ଛାଡ଼ିବାକୁ ସେମାନେ ଜିଦ୍ରେ ଅଟଳ ଅଛନ୍ତି।
ପ୍ରଶାସନିକ ଦୂରଦୃଷ୍ଟିର ଅଭାବ ଓ ଅବହେଳାର ସବୁଠାରୁ ବଡ଼ ନମୁନା ଦେଖିବାକୁ ମିଳିଛି ଗାଁର ପ୍ରାଥମିକ ବିଦ୍ୟାଳୟରେ। ବିସ୍ଥାପନ ସମସ୍ୟାକୁ ଦର୍ଶାଇ ପ୍ରଶାସନ ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ଦୀର୍ଘ ତିନି ବର୍ଷ ହେବ ବନ୍ଦ କରି ରଖିଛି। ଫଳରେ ୩୫ରୁ ଉଦ୍ଧ୍ୱର୍ କୋମଳମତି ଶିଶୁଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗୋଟିଏ ପଟେ ସରକାର ଶିକ୍ଷାର ଅଧିକାର କଥା କହୁଥିବା ବେଳେ, ଅନ୍ୟପଟେ ପ୍ରକଳ୍ପ ନାଁରେ କୋମଳମତି ଶିଶୁଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦିଆଯାଇଛି।
ଲୋୟର ସୁକତେଲ ପ୍ରକଳ୍ପ ସୁରୁଖୁରୁରେ ଶେଷ କରିବାକୁ ସରକାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଆସୁଛନ୍ତି, କିନ୍ତୁ ଜମି ହରାଇଥିବା ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଆଜି ଯାଏଁ ହୋଇପାରିନାହିଁ। ଅନ୍ୟପଟେ ଉଚିତ୍ ଜମିଜମା କ୍ଷତିପୂରଣ ମିଳିନଥିବା, ପୁନର୍ବାସ କୋଲୋନୀଗୁଡ଼ିକରେ ମୌଳିକ ସୁବିଧା ସୁଯୋଗର ଅଭାବଥିବା ସହ ଦାବି ସମ୍ପୂର୍ଣ୍ଣ ପୂରଣ ନ ହୋଇ ଗ୍ରାମବାସୀଙ୍କୁ ଜୋରଜବରଦସ୍ତ ସ୍ଥାନାନ୍ତର କରିବାର ଅପଚେଷ୍ଟା।
“ଆମର ଭିଟାମାଟି, ଚାଷଜମି ଓ ଭବିଷ୍ୟତ ଛଡ଼ାଇ ନେବା ପରେ ଆମକୁ କେଉଁ ସୁରକ୍ଷାର ଭରସା ଦେଉଛି ପ୍ରଶାସନ? ପ୍ରଥମେ ନ୍ୟାୟପୂର୍ଣ୍ଣ କ୍ଷତିପୂରଣ ଓ ଉପଯୁକ୍ତ ପୁନର୍ବାସ ଯୋଗାଅ, ତା’ପରେ ଜଳଭଣ୍ଡାରର କଥା କୁହ।” ବୋଲି ବିସ୍ଥାପିତ ଲୋକେ ପ୍ରଶ୍ନ କରିଛନ୍ତି ।
ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଚାଲିଥିବା ଏହି ଅସନ୍ତୋଷ ଏବେ ବିସ୍ଫୋରକ ରୂପ ନେବାରେ ଲାଗିଛି। ଯଦି ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଆଲୋଚନା ମାଧ୍ୟମରେ କୁମିଆପାଲି ବାସିନ୍ଦାଙ୍କ ଦାବି ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ଏହା ଏକ ପ୍ରବଳ ଗଣଆନ୍ଦୋଳନର ରୂପ ନେବ ବୋଲି ସ୍ପଷ୍ଟ ସଙ୍କେତ ମିଳୁଛି।

