ଜମନକିରା ବ୍ଲକ ସଦର ମହକୁମାରେ ଚାଲିଛି ବେଆଇନ ଜୁଆ ଓ ସଟ୍ଟା କାରବାର: ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି
ଜମନକିରା : ଜମନକିରା ବ୍ଲକ ସଦର ମହକୁମା ଓ ଏହାର ଆଖପାଖ ଅଞ୍ଚଳରେ ଏବେ ବେଆଇନ ଜୁଆ ଏବଂ ସଟ୍ଟା (ମଟକା) ଖେଳ ଖୋଲା ଖୋଲି ଭାବେ ଚାଲିଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ସନ୍ଧ୍ୟା ହେଲେ ଗାଁ ଗଣ୍ଡାରୁ ଆରମ୍ଭ କରି ବଜାରର ବିଭିନ୍ନ ଗୁପ୍ତ ସ୍ଥାନରେ ଲକ୍ଷାଧିକ ଟଙ୍କାର କାରବାର ହେଉଥିବା ଅଭିଯୋଗ ହେଉଛି। ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି, ପୋଲିସ ପ୍ରଶାସନ ସବୁ ଜାଣିଶୁଣି ମଧ୍ୟ ନୀରବ ଦ୍ରଷ୍ଟା ସାଜିଛି, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାଦ୍ୱାରା ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି।ଏହି ବେଆଇନ ଜୁଆ ଓ ସଟ୍ଟା ଆଡ୍ଡା ଯୋଗୁଁ ସ୍ଥାନୀୟ ଯୁବପିଢ଼ି ଏବଂ ଶ୍ରମିକ ଶ୍ରେଣୀର ଲୋକମାନେ ନିଜର କଷ୍ଟଉପାର୍ଜିତ ଟଙ୍କା ହରାଇ କଙ୍ଗାଳ ହେଉଛନ୍ତି। ଜୁଆ ଆଡ୍ଡା କାରଣରୁ ଅଞ୍ଚଳରେ ଚୋରି, ଛାନ୍ତାଇ, ଏବଂ ପାରିବାରିକ କଳହ ଭଳି ଅପରାଧିକ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ପୋଲିସର ନାକ ତଳେ ଏତେ ବଡ଼ ବେଆଇନ କାରବାର ଚାଲିଥିବା ସତ୍ତ୍ୱେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ନେଇ ପୋଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି। ସଦର ମହକୁମାରେ ବେଆଇନ ଜୁଆ କାରବାର ଯୋଗୁଁ ଶାନ୍ତିଶୃଙ୍ଖଳା ନଷ୍ଟ ହେଉଛି। ଯଦି ପୋଲିସ ପ୍ରଶାସନ ତୁରନ୍ତ ଏହା ଉପରେ ଚଢ଼ାଉ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି। ଏଥିସହ ଏଭଳି କାର୍ଯ୍ୟକଳାପ କୁ ତୁରନ୍ତ ହସ୍ତକ୍ଷେପ କରି ବେଆଇନ ଜୁଆ ଓ ସଟ୍ଟା କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ଜଣାଇଛନ୍ତି।

