କଣ୍ଟାବାଞ୍ଜିରେ ସ୍ତ୍ରୀକୁ ନିର୍ମମ ଭାବେ ହାଣି ହତ୍ୟା କଲା ସ୍ୱାମୀ: ଅଭିଯୁକ୍ତ ଅଟକ, ପୁଲିସର ତଦନ୍ତ ଜାରି ।
ବଲାଙ୍ଗୀର,୨୩।୭: ପାରିବାରିକ କଳହରୁ ଭୟଙ୍କର ପରିଣତି। ସ୍ୱାମୀର ଧାରୁଆ ଅସ୍ତ୍ର ପ୍ରହାରରେ ପ୍ରାଣ ହରାଇଛନ୍ତି ସ୍ତ୍ରୀ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗାଁର ମାଝୀପଡ଼ାରେ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଚଟୁଅନକା ଗାଁର ଦେବଚନ୍ଦ ମାଝୀ (୪୦) ଓ ତାଙ୍କ ସ୍ତ୍ରୀ କିଆଫୁଲ ମାଝୀଙ୍କ ମଧ୍ୟରେ କୌଣସି କାରଣରୁ ବାକ୍ଯୁଦ୍ଧ ହୋଇଥିଲା। ଏହି ପାରିବାରିକ କଳହ ଉଗ୍ରରୂପ ନେବାରୁ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ଦେବଚନ୍ଦ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ କିଆଫୁଲଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ କିଆଫୁଲଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ମୃତ ଦମ୍ପତିଙ୍କର କୌଣସି ସନ୍ତାନ ନଥିବା ବେଳେ ଦେବଚନ୍ଦଙ୍କ ବାପା-ମା’ ମଧ୍ୟ ନାହାନ୍ତି।
ଖବର ପାଇ କଣ୍ଟାବାଞ୍ଜି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏ ନେଇ କଣ୍ଟାବାଞ୍ଜି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସୂଚନା ଅନୁଯାୟୀ, ପୁଲିସ କେସ୍ ନଂ ୧୫୪/୨୦୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଦେବଚନ୍ଦ ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ପାରିବାରିକ ବିବାଦ ଯୋଗୁଁ ଘଟିଥିବା ଜଣାପଡ଼ିଥିବା ବେଳେ, ହତ୍ୟାର ଅସଲ କାରଣ ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

