Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମି ବିବାଦର ରକ୍ତାକ୍ତ ପରିଣତି: ସ୍ତ୍ରୀଙ୍କ ସାମ୍ନାରେ ସ୍ୱାମୀଙ୍କୁ ପିଟିପିଟି ହତ୍ୟା, ୨ ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ। ସ୍ତ୍ରୀଙ୍କ ଆଖି ଆଗରେ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରାଯାଇଛି। ମୃତକ ହେଲେ ୫୦ ବର୍ଷୀୟ ସୁବେ ଶବର।

ସୂଚନା ଅନୁସାରେ, ଶୁକ୍ରବାର ସୁବେ ଶବର ଓ ତାଙ୍କ ସ୍ତ୍ରୀ ସତ୍ୟ ଶବର ଚାଷଜମିରୁ କାମ ସାରି ଘରକୁ ଫେରୁଥିବା ବେଳେ ଗାଁର ଜଗନ୍ନାଥ ଶବର ଓ ଦେସେରାମ ଶବର ପୂର୍ବ ଶତ୍ରୁତା ଓ ଜମି ବିବାଦକୁ କେନ୍ଦ୍ର କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଲାଠି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣରେ ସୁବେ ଶବର ଗୁରୁତର ଆହତ ହୋଇପଡ଼ିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସୁବେ ଶବରଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଜୟପାଟଣା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଜଗନ୍ନାଥ ଶବର ଓ ଦେସେରାମ ଶବରଙ୍କୁ ଗିରଫ କରିଛି। ଏବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାପାଇଁ ଅନ୍ୟାନ୍ୟ ଦିଗକୁ ନେଇ ପୁଲିସ ଅଧିକ ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories