ଉଷାକୋଠି ଜଙ୍ଗଲରେ ହାତୀ ଆକ୍ରମଣ: ଜଣେ ୱାଚର ଗୁରୁତ୍ତର, କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି
ଜମନକିରା : ଉଷାକୋଠି ଜଙ୍ଗଲରେ ହାତୀ ମନିଟରିଂ ବେଳେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଆଜି ଅପରାହ୍ନ ପ୍ରାୟ ୧୨:୩୦ ସମୟରେ ପୁଡ଼ାଡ଼ିହି ବିଟ୍ ହାଉସ୍ରୁ ଉଷାକୋଠୀ ଜଙ୍ଗଲ ମଧ୍ୟରେ ଥିବା ପଥୁରିଆ କୁ ଦୁଇ ଜଣ ୱାଚର ହାତୀ ଗତିବିଧି ନଜର ରଖିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜଙ୍ଗଲ ମଧ୍ୟରେ ୨୧ ଟିକିଆ ହାତୀ ପଲ ଥିବା ବେଳେ ହଠାତ୍ ଏକ ହାତୀ ସାମ୍ନାକୁ ଆସି ୱାଚର ପୀତାମ୍ବର ଭୋଇଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଫଳରେ ସେ ଗୁରୁତ୍ତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ଜଣେ ୱାଚର ସରୋଜ ମାଝୀ ସାମାନ୍ୟ ଆହତ ହୋଇଛନ୍ତି।
ଘଟଣା ପରେ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫରେଷ୍ଟର ସନ୍ତୋଷ ବାଘ ଡାକ୍ତରଖାନାରେ ଉପସ୍ଥିତ ରହି ସେମାନଙ୍କ ଚିକିତ୍ସା ସେବା ଯୋଗାଇବା ସହ ସମସ୍ତ ବ୍ୟବସ୍ଥା ବୁଝାସୁଝା କରୁଛନ୍ତି। ଉଷାକୋଠି ଜଙ୍ଗଲରେ ୨୧ ଟିକିଆ ହାତୀ ପଲ ସକ୍ରିୟ ଥିବା ନେଇ ଫରେଷ୍ଟର ଶ୍ରୀ ବାଘ ସୂଚନା ଦେଇଛନ୍ତି।

