Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରଜରାଜନଗରରେ ପୋଲିସର ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ପୁଅ ଅଙ୍କିତ ଆହତ , ଅଭିଯୁକ୍ତ ନାଆଁରେ ରହିଛି ୭ଟି ସଂଗୀନ ମାମଲା,

ଝାରସୁଗୁଡ଼ା ୨୭/୦୭ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଆଜି ବିଳମ୍ବିତ ରାତିରେ ପୋଲିସ ଓ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରଜରାଜନଗର ଓରିଏଣ୍ଟ ପେପର ମିଲ ଇବ ନଦୀଘାଟ ନିକଟରେ ପୋଲିସ ଦ୍ବାରା ହୋଇଥିବା ଇନକାଉଣ୍ଟର ରେ ବ୍ରଜରାଜନଗର କମଲେଶ ଘୋଷ ଓରଫ ସୋନୁ ଘୋଷଙ୍କ ପୁଅ ଅଙ୍କିତ ଘୋଷଙ୍କ ଗୋଡ଼ରେ ଗୁଳି ବାଜି ଆହତ ହୋଇଛନ୍ତି । ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ଜଣା ପଡ଼ିଛି ।
ପୋଲିସ ସୂଚନା ଅନୁଯାୟୀ, ଓରିଏଣ୍ଟ ପେପର ମିଲ ଇବନଦୀ ଘାଟ ନିକଟରେ କିଛି ବ୍ୟକ୍ତି ଅପରାଧିକ ଷଡ଼ଯନ୍ତ୍ର କରୁଥିବା ସୂଚନା ପାଇ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢ଼ଉ କରିଥିଲା। ପୋଲିସର ଚଢ଼ଉ ବେଳେ ଅଭିଯୁକ୍ତ ମାନେ ପୋଲିସ ଉପରେ ଗୁଳି ଚଳାଇବାକୁ ଉଦ୍ୟମ କରି ଥିବାରୁ ଆତ୍ମରକ୍ଷା ନିମନ୍ତେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅଙ୍କିତ ଘୋଷଙ୍କ ଗୋଡ଼ରେ ଗୁଳି ବାଜିଥିବା ପୋଲିସ ସୂଚନା ଦେଇଛି।
ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି ଯେ, ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଏବଂ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ପ୍ରାରମ୍ଭିକ ତଦନ୍ତରେ ଅଭିଯୁକ୍ତମାନେ ପୋଲିସ ଦଳ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ତଥ୍ୟ ସାମ୍ନାକୁ ଆସିଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି। ପୋଲିସ ରେକର୍ଡ ଅନୁଯାୟୀ, ଅଙ୍କିତ ଘୋଷଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ, ହତ୍ୟା ଉଦ୍ୟମ, ଡକାୟତି, ଆକ୍ରମଣ ଓ ଧମକ ଭଳି ସଂଗୀନ ଅପରାଧ ସମ୍ପର୍କିତ ମୋଟ ୭ ଟି ମାମଲା ରହିଛି। ପୋଲିସ ତାଙ୍କ ଅପରାଧିକ କାର୍ଯ୍ୟ କଳାପ ଓ ଏହି ଘଟଣା ସହ ଜଡିତ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ମଧ୍ଯ ଅଧିକ ତଦନ୍ତ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories