ଉନ୍ଦେର ନଦୀରେ ବନ୍ୟା: ୧୦ ଘଣ୍ଟାର ଅପରେସନ୍ ପରେ ଫସିଥିବା ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।
ବଲାଙ୍ଗୀର,୨୯।୭: ଗତ ଦୁଇ ଦିନ ହେବ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିରହିଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ନଦୀନାଳଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଉନ୍ଦେର ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବାରୁ ନଦୀକୂଳିଆ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିବା ସହ ବଙ୍ଗୋମୁଣ୍ଡା ଓ ଟିଟିଲାଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ମୋଟ ୧୩ ଜଣ ଲୋକ ବନ୍ୟା ପାଣିର ପ୍ରଖର ସ୍ରୋତ ମଧ୍ୟରେ ଫସି ରହିଥିଲେ। ତେବେ ସମସ୍ତ ୧୩ ଜଣଙ୍କୁ ଦୀର୍ଘ ୧୦ ଘଣ୍ଟାର କଠିନ ପରିଶ୍ରମ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଉନ୍ଦେର ନଦୀର ବନ୍ୟା ଜଳରେ ଶୁଣ୍ଢିମୁଣ୍ଡା ଗ୍ରାମର ୪ ଜଣ ନାଗରିକ, ଗନ୍ଧର୍ଲା ଗ୍ରାମର ଏକ କୁକୁଡ଼ା ଫାର୍ମରେ ୫ ଜଣ କଣ୍ଡାରା ଗ୍ରାମର ୪ ଜଣ ସ୍ଥାନୀୟ ବାସିନ୍ଦା ଫସି ରହିଥିଲେ ।
ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳରେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ଟିଟିଲାଗଡ଼ ତହସିଲଦାର, ବଙ୍ଗୋମୁଣ୍ଡା ତହସିଲଦାର ଏବଂ ସିନ୍ଧେକେଲା ପୋଲିସ ବାହିନୀ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବେ ସ୍ଥିତିର ନିରନ୍ତର ସମୀକ୍ଷା କରିଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ, ନଦୀର ପ୍ରଖର ସ୍ରୋତ ଯୋଗୁଁ ଅପରେସନ୍ରେ ବାଧା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ବିଶେଷଜ୍ଞ ଓଡ଼୍ରାଫ୍ (ODRAF) ଟିମ୍ ଅତ୍ୟାଧୁନିକ ଉପକରଣ ଓ ବୋଟ୍ ସହ ପହଞ୍ଚି ରେସ୍କ୍ୟୁ ଅପରେସନ୍କୁ ଅଧିକ ଜୋରଦାର କରିଥିଲେ। ପ୍ରାଥମିକତା ଭିତ୍ତିରେ ପ୍ରଥମେ ଗନ୍ଧର୍ଲା ଗ୍ରାମର କୁକୁଡ଼ା ଫାର୍ମରେ ଫସିଥିବା ୫ ଜଣଙ୍କୁ ବାହାର କରାଯାଇଥିଲା।
ଶେଷରେ ଅଗ୍ନିଶମ ବାହିନୀ ଓ ଓଡ଼୍ରାଫ୍ର ମିଳିତ ଉଦ୍ୟମରେ ଦୀର୍ଘ ୧୦ ଘଣ୍ଟାର କ୍ରମାଗତ ଉଦ୍ଧାର ଅପରେସନ୍ ପରେ ସମସ୍ତ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ସମସ୍ତ ନାଗରିକଙ୍କୁ ସୁରକ୍ଷିତ ବାହାର କରିବା ପ୍ରଶାସନର ପ୍ରାଥମିକତା ଥିଲା ବୋଲି ଉପ-ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସଜାଗ ଓ ସାବଧାନ ରହିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

