Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ବର୍ଷା ଓ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ: ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ।

ବଲାଙ୍ଗୀର,୨୯।୭: ଗତ କିଛି ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଓ ବନ୍ୟାଜଳ ଯୋଗୁଁ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଜଟିଳ ସ୍ଥିତିର ସମୀକ୍ଷା ପାଇଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଥତା କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମସମୂହ ପରିଦର୍ଶନ କରି କ୍ଷୟକ୍ଷତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।
ବିଧାୟକ ଶ୍ରୀ ବାଗ ମମିଆ, ଭୁଶୁଲାଡ଼, ପରୁଆଭାଡ଼ି, ସାଲେବର, ପୁଟୁପଡ଼ା, ତେଲସରାଇ ଏବଂ ଭତ୍ତାସର ପ୍ରଭୃତି ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷଜମି, ରାସ୍ତାଘାଟ, ଘରବାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କରେ ସେ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କଠାରୁ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ।
ଏହି ଅବସରରେ ବିଧାୟକ କହିଛନ୍ତି ଯେ, ବନ୍ୟା ବିପନ୍ନ ପରିବାରଗୁଡ଼ିକୁ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ। କ୍ଷୟକ୍ଷତିର ସଠିକ୍ ଆକଳନ କରି ପ୍ରଭାବିତ ଲୋକଙ୍କ ପାଖରେ ସମସ୍ତ ସରକାରୀ ସୁବିଧା ଓ ରିଲିଫ୍ ପହଞ୍ଚାଇବା ପାଇଁ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିଦର୍ଶନ ସମୟରେ ବିଡ଼ିଓ ନିତିଶ୍ରୀ ମେହେର, ତହସିଲଦାର ଜୋଶନ ମାଝୀ, କନିଷ୍ଠ ଯନ୍ତ୍ରୀ, ସମିତି ସଭ୍ୟ ଭୋଳାନାଥ ବେହେରାଙ୍କ ସମେତ ଅନେକ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଜଳସ୍ତର ହ୍ରାସ ପାଇବା ପରେ କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ବିଡ଼ିଓ ଶ୍ରୀମତୀ ମେହେର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories