ଗୁଲୁଜିପାଲି ‘୧’ ଆଙ୍ଗନବାଡ଼ି କେନ୍ଦ୍ର: ୫ ବର୍ଷ ହେଲାଣି ନାହିଁ ରାସ୍ତା, ପାଚେରୀ ଓ ନଳକୂପ; କାଦୁଅ ପଚପଚ ରାସ୍ତାରେ ବିପଦପୂର୍ଣ୍ଣ ଯାତ୍ରା
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଗୁର୍ଜିପାଲି (ଗୁଲୁଜିପାଲି ‘କ’) ଆମ ଆଙ୍ଗନବାଡ଼ି କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗର ଚରମ ଅଭାବ ଦେଖିବାକୁ ମିଳିଛି। ଏହି କେନ୍ଦ୍ରଟି ନିର୍ମାଣ ହେବାର ପ୍ରାୟ ୫ ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଏଠାକୁ ଯିବା ଆସିବା ପାଇଁ ଏକ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ହୋଇ ପାରିନାହିଁ। ଗୌରପଡ଼ାରୁ – ଚମାରପଡ଼ା ଦେଇ ଆଙ୍ଗନବାଡ଼ି କେନ୍ଦ୍ରକୁ ଯିବାକୁ ପଡ଼ୁଥିବା କଚ୍ଚା ରାସ୍ତାଟି ବର୍ଷା ଦିନେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ଆଣ୍ଠୁଏ ପାଣି ଓ କାଦୁଅ ଜମି ରହିଥିବା ବେଳେ, ହାତରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଛତା ଧରି ଦୁର୍ଗମ ପଥ ଦେଇ ଆଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ କେନ୍ଦ୍ରକୁ ପହଞ୍ଚୁଛନ୍ତି। ରାସ୍ତା ଶୋଚନୀୟ ଥିବାରୁ କୋମଳମତି ଶିଶୁ, ଗର୍ଭବତୀ ମହିଳା ଓ ମା’ମାନେ ନିଜ ଛୋଟ ଛୋଟ ଛୁଆଙ୍କୁ କାଖରେ ଧରି କାଦୁଅ ରାସ୍ତାରେ ବିପଦପୂର୍ଣ୍ଣ ଭାବେ କେନ୍ଦ୍ରକୁ ଆସିବାକୁ ବାଧ୍ୟ ହେଉଛନ୍ତି। ଆଙ୍ଗନବାଡ଼ି କର୍ମୀ ହେମଲତା ପଧାନଙ୍କ କହିବା ଅନୁଯାୟୀ, ଗମନାଗମନ ସମସ୍ୟା ସହ କେନ୍ଦ୍ର ପରିସରରେ ପାନୀୟ ଜଳ ପାଇଁ ନଳକୂପଟିଏ ନାହିଁ କି ସୁରକ୍ଷା ପାଇଁ ପାଚେରୀ ନିର୍ମାଣ କରାଯାଇ ନାହିଁ। ୫ ବର୍ଷ ଧରି ଏହି ସବୁ ସମସ୍ୟା ଲାଗି ରହିଥିଲେ ହେଁ କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ। ସାରା ଦେଶ ଓ ରାଜ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ, ଗୁର୍ଜିପାଲିର ଏହି ଶୋଚନୀୟ ଚିତ୍ର ସ୍ଥାନୀୟ ପ୍ରଶାସନିକ ପ୍ରସଙ୍ଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରରେ ପାନୀୟ ଜଳ, ପାଚେରୀ ଏବଂ ଗମନାଗମନ ପାଇଁ ତୁରନ୍ତ ଏକ ପକ୍କା ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଓ ଆଙ୍ଗନବାଡ଼ି କର୍ମୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

