Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଓ ବଳାତ୍କାର ଉଦ୍ୟମ: ଟ୍ୟୁସନ୍ ଶିକ୍ଷକ ଗିରଫ, କୋର୍ଟ ଚାଲାଣ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଏବଂ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ ଟ୍ୟୁସନ୍ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ରାମଜିପଡ଼ାର ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ, ଯିଏ ‘ବବି ପଟେଲ’ ଭାବେ ମଧ୍ୟ ଜଣାଶୁଣା। ସେ ନିଜ ଭଡ଼ା ଘରେ ପିଲାମାନଙ୍କୁ ଟ୍ୟୁସନ୍ ପଢ଼ାଉଥିଲେ।
ଗତ ୩୧ ତାରିଖ ସନ୍ଧ୍ୟାରେ ଟ୍ୟୁସନ୍ ପଢ଼ୁଥିବା ଜଣେ ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଏକାକୀ ପାଇ ସେ ଯୌନ ଉତ୍ପୀଡ଼ନ ଦେବା ସହ ଅଶୋଭନୀୟ ବ୍ୟବହାର କରି ବଳାତ୍କାର ଉଦ୍ୟମ କରିଥିଲେ। ଛାତ୍ରୀଜଣକ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ମା’ ଖୋଜି ଖୋଜି ଟ୍ୟୁସନ୍ ସେଣ୍ଟରରେ ପହଞ୍ଚିଥିଲେ। ଶିକ୍ଷକଙ୍କ ଏହି ଆପତ୍ତିଜନକ ଓ ସର୍ମନାକ ବ୍ୟବହାର ଦେଖି ସେ ତୁରନ୍ତ ଏହାର ପ୍ରତିରୋଧ କରିଥିଲେ, ଯାହା ଫଳରେ ନାବାଳିକା ଜଣକ ରକ୍ଷା ପାଇ ଯାଇଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ସେ ଶିକ୍ଷକଙ୍କୁ ନିର୍ଧୁମ ଛେଚିଥିଲେ।
ଏହାପରେ ପୀଡ଼ିତାଙ୍କ ମା’ କୁଚିଣ୍ଡା ଥାନାରେ ପହଞ୍ଚି ଏନେଇ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଲିଖିତ ଅଭିଯୋଗ ଆଧାରରେ କୁଚିଣ୍ଡା ଥାନା ପୋଲିସ କେସ୍ ନଂ.୧୬୩/୨୨ ରୁଜୁ କରିବା ସହ ଭାରତୀୟ ନ୍ୟାୟ ସଂହିତାର ଧାରା–୭୪ ଏବଂ ପୋକ୍ସୋ ଆଇନର ଧାରା–୮ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ରବି ପଟେଲଙ୍କୁ ଗିରଫ କରିଥିଲା। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାକୁ ନେଇ କୁଚିଣ୍ଡା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories