Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛୁରୀ ଦେଖାଇ ଲୁଟପାଟ: କୁଚିଣ୍ଡା ପୋଲିସ ଦ୍ୱାରା ୨ ଅଭିଯୁକ୍ତ ଗିରଫ, ୪୦ ହଜାର ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଲେ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନର୍ସରୀ ପଡ଼ା ଅଞ୍ଚଳରେ ଡେ଼ଫାଣି ଏକ ବଡ଼ ଅପରାଧିକ ଘଟଣା ସାମ୍ନାକୁ ଆସିଛି। ଧାରୁଆ ଅସ୍ତ୍ରଶସ୍ତ୍ର ଧରି ଦୁର୍ବୃତ୍ତମାନେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଛୁରୀ ଦେଖାଇ ଲୁଟପାଟ କରିଛନ୍ତି। ତେବେ ଘଟଣାର ଅଭିଯୋଗ ପାଇବା କ୍ଷଣି କୁଚିଣ୍ଡା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଥିରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତ ବିକାଶ କୁମାର ରାୟ ରାତି ପ୍ରାୟ ୧୧ଟା ସମୟରେ ନର୍ସରୀ ପଡ଼ା ଅଞ୍ଚଳ ଦେଇ ଫେରୁଥିଲେ। ଏହି ସମୟରେ ନିର୍ଜନ ରାସ୍ତାର ସୁଯୋଗ ନେଇ ୩ ରୁ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଘେରି ଯାଇଥିଲେ। ଦୁର୍ବୃତ୍ତମାନେ ଛୁରୀ (ଧାରୁଆ ଅସ୍ତ୍ର) ଦେଖାଇ ବିକାଶଙ୍କୁ ଭୟଭୀତ କରିବା ସହ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ଆକ୍ରମଣ ପରେ ଅଭିଯୁକ୍ତମାନେ ପୀଡ଼ିତଙ୍କ ନିକଟରୁ ନଗଦ ୪୦,୦୦୦ ଟଙ୍କା ଏକ ମୋବାଇଲ୍ ଫୋନ ଜବରଦସ୍ତି ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।ଘଟଣା ପରେ ପୀଡ଼ିତ ବ୍ୟକ୍ତି ତୁରନ୍ତ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ପୋଲିସ ଟିମ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଏବଂ ସମଗ୍ର ଅଞ୍ଚଳରେ ଛାନ୍‌ଭିନ୍ ଅଭିଯାନ ଚଳାଇଥିଲା। ସଫଳ ତଦନ୍ତ ପରେ ପୋଲିସ ଏହି ଘଟଣାରେ ସଂପୃକ୍ତ ୨ ଜଣ ମୁଖ୍ୟ ଅଭିଯୁକ୍ତ କୁଚିଣ୍ଡା ଥାନା ନର୍ସରୀପଡ଼ା ର ଉମାକାନ୍ତ ବାରଭାୟା(୩୮) ଓ ହରିଶଙ୍କର ବେହେରା (୨୮)ଙ୍କୁ ପୁଲିସ ଗିରଫ କରିଛି। ଲୁଟ୍ ହୋଇଥିବା ସାମଗ୍ରୀ ଉଦ୍ଧାର କରିବା ସହ ଫେରାର୍ ଥିବା ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ତାଙ୍କଠାରୁ ଏକ ସ୍କୁଟର (ଯାହାର ରେ. ନ. ଓଡ଼ି ୧୫ ଏବି ୫୯୦୧), ଏକ ଛୁରୀ, ଗୋଟିଏ ମୋବାଇଲ ଓ ୧୫ ହଜାର ୬ ଶହ ଟଙ୍କା ଜବତ କରିଛି।ସହରରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାତି ସମୟରେ ନିର୍ଜନ ରାସ୍ତାରେ ଏକାକୀ ଯାତାୟାତ ନକରିବା ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନାକୁ ସୂଚନା ଦେବାକୁ ପୋଲିସ ଅନୁରୋଧ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories