Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଏସ.ଏସ.ଡ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ର ନିଖୋଜ ଘଟଣା; ତଦନ୍ତ କରୁଛି ଜମନକିରା ପୋଲିସ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଷଣ୍ଢପଥର ଏସଏସଡି ସରକାରୀ ହାଇସ୍କୁଲ (ଆଶ୍ରମ ସ୍କୁଲ) ହଷ୍ଟେଲରୁ ଜଣେ ନବମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯିବା ଭଳି ଏକ ସଂବେଦନଶୀଳ ଘଟଣା କୁ ଆଜି ଦୁଇ ଦିନ ପୁରି ଯାଇଥିବା ସତ୍ତ୍ୱେ ନିଖୋଜ ର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଛାତ୍ରଜଣଙ୍କ ନାମ ରୋହିତ ମୁଣ୍ଡା (୧୭)। ସେ ଅଇଁଠାପାଲି ଥାନା ଅନ୍ତର୍ଗତ ମେଲଚ୍ଛାମୁଣ୍ଡା ଗାଁର ବୋଲି ଜଣାପଡ଼ିଛି। ସେ ଗତ ୩ ବର୍ଷ ହେବ ୬ଷ୍ଠ ଶ୍ରେଣୀରୁ ଷଣ୍ଢପଥର ସ୍କୁଲରେ ନାମ ଲେଖାଇ ହଷ୍ଟେଲରେ ରହୁଥିଲା।
ସୂଚନା ଅନୁଯାୟୀ, ରବିବାର ସକାଳେ ରୋହିତ ଅନ୍ୟ ସହପାଠୀ ମାନଙ୍କ ସହ ଟିଫିନ କରିଥିଲେ। କିନ୍ତୁ ଅପରାହ୍ନରେ ମଧ୍ୟାହ୍ନ ଭୋଜନ ସମୟରେ ତାଙ୍କୁ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିନଥିଲା। ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷକମାନେ ସମଗ୍ର ବିଦ୍ୟାଳୟ ପରିସର ଓ ସମ୍ଭାବ୍ୟ ସ୍ଥାନ ଗୁଡ଼ିକରେ ଖୋଜାଖୋଜି କରିଥିଲେ। ସେ ମିଶୁଥିବା ସହପାଠୀମାନଙ୍କୁ ପଚରାଉଚରା କରାଯାଇଥିଲେ ସୁଦ୍ଧା କୌଣସି ସନ୍ଧାନ ମିଳିନଥିଲା।
ଘଟଣା ସମ୍ପର୍କରେ ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷିପ୍ରୀୟା ସାହୁ, ହଷ୍ଟେଲ ଦାୟିତ୍ୱରେ ଥିବା ଏବଂ ଡବ୍ଲ୍ୟୁଇଓ (WEO) ଐଶ୍ୱର୍ଯ୍ୟ ନାୟକ ଖବର ଜାଣିଲା ପରେ ତୁରନ୍ତ ଛାତ୍ରଙ୍କ ପିତାମାତାଙ୍କୁ ଅବଗତ କରାଇଥିଲେ। ପରେ ଗତକାଲି ଅପରାହ୍ନ ପ୍ରାୟ ୫ଟା ସମୟରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜମନକିରା ଥାନାରେ ଲିଖିତ ଏତଲା ଦାଖଲ କରାଯାଇଥିଲା। ଖବର ପାଇ ରୋହିତଙ୍କ ମାତା ଶାନ୍ତି ମୁଣ୍ଡା ଓ ପିତା ଜମନକିରା ଥାନାରେ ପହଞ୍ଚି ନିଖୋଜ ବାବଦରେ ଜଣାଇବା ସହ ପୁଅର ଗତିବିଧି, ସହପାଠୀ ଓ ବନ୍ଧୁବାନ୍ଧବଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଜମନକିରା ଥାନା ଅଧିକାରୀ ରଞ୍ଜନ ନାଗଙ୍କ ସୂଚନା ଅନୁସାରେ, ଅଭିଯୋଗ ପାଇବା ପରେ ପୋଲିସ ମାମଲାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଟିମ୍ ଆଜି ସ୍କୁଲକୁ ଯାଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ପରିବାର ଲୋକଙ୍କୁ ପଚରା ଉଚରା କରିଛି। ଛାତ୍ର ଠାରୁ ଜବତ ହୋଇଥିବା ଏକ ମୋବାଇଲ୍ କୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ନିକଟସ୍ଥ ଅଞ୍ଚଳ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପୋଲିସ ପକ୍ଷରୁ ଛାନ୍‌ଭିନ୍‌ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories