କଣ୍ଟାବାଞ୍ଜିରେ କଂଗ୍ରେସର ବିଏଲଏ-୨ ପ୍ରଶିକ୍ଷଣ ଶିବିର: ଭୋଟର ତାଲିକାରୁ ଜାଣିଶୁଣି ନାଁ କଟାଯାଉଥିବା ଅଭିଯୋଗ, ଶାସକ ଦଳକୁ ବର୍ଷିଲେ ସାଲୁଜା ।
ବଲାଙ୍ଗୀର,୩।୮: କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ-୨) ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଜି.ଆର୍. ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଥ୍ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ଭୋଟର ତାଲିକା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ କର୍ମୀମାନଙ୍କୁ ସଜାଗ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପୂର୍ବତନ ବିଧାୟକ ତଥା କଂଗ୍ରେସର ରାଜ୍ୟ ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମିଡିଆ ପ୍ରଭାରୀ ଅରବିନ୍ଦ ଦାଶ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ସେ ନିର୍ବାଚନୀ ପ୍ରସ୍ତୁତି, ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟା, ବୁଥ୍ ପରିଚାଳନା ଏବଂ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ କିପରି ଅଧିକ ସକ୍ରିୟ କରାଯାଇପାରିବ, ସେ ନେଇ ବିଏଲଏ-୨ କର୍ମୀମାନଙ୍କୁ ଆବଶ୍ୟକୀୟ ମାର୍ଗଦର୍ଶନ ଓ କୌଶଳ ସମ୍ପର୍କରେ ତାଲିମ ଦେଇଥିଲେ।
ଶିବିରକୁ ସମ୍ବୋଧିତ କରି ପୂର୍ବତନ ବିଧାୟକ ଶ୍ରୀ ସାଲୁଜା ଶାସକ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, “ନିର୍ବାଚନ ମଣ୍ଡଳୀରେ ଜାଣିଶୁଣି ଯୋଜନାବଦ୍ଧ ଭାବେ ଭୋଟର ତାଲିକାରୁ ବହୁ ଯୋଗ୍ୟ ଭୋଟରଙ୍କ ନାମ କାଟି ଦିଆଯାଉଛି।” ଏହାର ଏକ ନିରପେକ୍ଷ ତଥା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ସଚେତନ ଜନସାଧାରଣ ଶାସକ ଦଳକୁ ଉଚିତ୍ ଜବାବ ଦେବେ ବୋଲି ସେ ଚେତାବନୀ ଦେଇଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଅନୀଲ ମେହେର, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ଜୈନ, ଜିଲ୍ଲା ପରିଷଦ ସଦସ୍ୟ କୌଶିକ ମେହେର ଓ ଓଁ କୁମ୍ଭାର, ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ ସଭାପତି ଏବଂ କଣ୍ଟାବାଞ୍ଜି ଏନଏସି ଉପାଧ୍ୟକ୍ଷା ମନୋରମା ରାଉତଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ ନେତା, ଜନପ୍ରତିନିଧି ଓ ବୁଥ୍ ସ୍ତରୀୟ କର୍ମୀ ଉପସ୍ଥିତ ଥିଲେ।

