ଜମନକିରା: ସ୍ୱାଧୀନତା ଦିବସ ପାଳିତ ପାଇଁ ପ୍ରସ୍ତୁତି ବୈଠକ; ପ୍ୟାରେଡ୍ ସ୍ଥାନ ପରିବର୍ତ୍ତନ ପ୍ରସ୍ତାବ କୁ ଅଗ୍ରାହ୍ୟ ନେଇ ବୈଠକରେ ତୀବ୍ର ଅସନ୍ତୋଷ
ଜମନକିରା : ଆସନ୍ତା ସ୍ୱାଧୀନତା ଦିବସ ପାଳନ ପାଇଁ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ବୈଠକରେ ଗ୍ରହଣ କରାଯାଇଥିବା କେତେକ ନିଷ୍ପତ୍ତିକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସହ ଚରମ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ସ୍ୱାଧୀନତା ଦିବସର ମୁଖ୍ୟ ପ୍ୟାରେଡ୍ ସ୍ଥାନ ଚୟନକୁ ନେଇ ପ୍ରଶାସନର ମନମୁଖୀ କାର୍ଯ୍ୟଶୈଳୀ ଉପରେ ଏବେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ୱାଧୀନତା ଦିବସର ସରକାରୀ ସମାରୋହ ଓ ପ୍ୟାରେଡ୍ କାର୍ଯ୍ୟକ୍ରମ ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ସି) ପରିସର ଡାକ୍ତରଖାନା ମଧ୍ୟରେ ଥିବା ପଡ଼ିଆରେ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ପଡ଼ିଆଟି ଡାକ୍ତରଖାନାର ମଧ୍ୟବର୍ତ୍ତୀ ସ୍ଥାନରେ ହୋଇଥିବାରୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଅଟେ। ଜାତୀୟ ପର୍ବ ପାଳନ ସମୟରେ ଲାଉଡସ୍ପିକରର ଆକାଶଛାତି ଉଚ୍ଚ ଶବ୍ଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀ, ନବଜାତ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ।ସମାରୋହ ସମୟରେ ହଜାର ସଂଖ୍ୟକ ଲୋକଙ୍କ ଭିଡ଼, ଛାତ୍ରଛାତ୍ରୀଙ୍କ ସମାବେଶ ଏବଂ ଗାଡ଼ିମୋଟର ପାର୍କିଂ ଯୋଗୁଁ ଡାକ୍ତରଖାନାକୁ ଆସୁଥିବା ଆମ୍ବୁଲାନ୍ସ ଓ ଜରୁରୀକାଳୀନ ରୋଗୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ଆବଦ୍ଧ ହୋଇଯିବାର ଆଶଙ୍କା ରହିଛି। ଚିକିତ୍ସାଧୀନ ରୋଗୀଙ୍କୁ ଶାନ୍ତିପୂର୍ଣ୍ଣ ପରିବେଶ ଆବଶ୍ୟକ ହେଉଥିବା ବେଳେ ପ୍ରଶାସନିକ କାର୍ଯ୍ୟକ୍ରମର କୋଳାହଳ ସ୍ୱାସ୍ଥ୍ୟସେବାକୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ କରିବ। ଭବିଷ୍ୟତର କୌଣସି ଅଘଟଣକୁ ରୋକିବା ଏବଂ ଜରୁରୀ ସ୍ୱାସ୍ଥ୍ୟ ସେବାକୁ ଅବ୍ୟାହତ ରଖିବା ପାଇଁ ବୈଠକରେ କେତେକ ବୁଦ୍ଧିଜୀବୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ପକ୍ଷରୁ ଏକ ଯୁକ୍ତିଯୁକ୍ତ ପ୍ରସ୍ତାବ ଆଗତ କରାଯାଇଥିଲା। ପ୍ୟାରେଡ୍ ପଡ଼ିଆକୁ ଡାକ୍ତରଖାନା ପରିସରରୁ ହଟାଇ ବ୍ଲକର ଅନ୍ୟ କୌଣସି ଖୋଲା କିମ୍ବା ପ୍ରଶସ୍ତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଥିଲା।
ମାତ୍ର ଦୁଃଖର ବିଷୟ, ପ୍ରସ୍ତୁତି ବୈଠକରେ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଆୟୋଜକ କମିଟି ଏହି ସମ୍ବେଦନଶୀଳ ପ୍ରସ୍ତାବକୁ ସୀଧାସଳଖ ଅଗ୍ରାହ୍ୟ କରିଦେଇଛନ୍ତି। ପୂର୍ବପରି ହିଁ ଡାକ୍ତରଖାନା ପଡ଼ିଆରେ କାର୍ଯ୍ୟକ୍ରମ କରିବାକୁ ଜିଦ୍ ଧରିବା ପ୍ରଶାସନର ଅସଂବେଦନଶୀଳତାକୁ ପଦାରେ ପକାଇଛି। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ବାଜି ଲଗାଇ ଏପରି କାର୍ଯ୍ୟକ୍ରମ ନିଷ୍ପତ୍ତିକୁ ନେଇ ଜମନକିରା ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ, ସମାଜସେବୀ ଓ ବରିଷ୍ଠ ନାଗରିକଙ୍କ ମଧ୍ୟରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି।ସ୍ୱାଧୀନତା ଦିବସ ଆମ ଗୌରବ ଓ ସ୍ୱାଭିମାନର ପର୍ବ। ଏହାକୁ ବଡ଼ ଖୁସିର ସହ ପାଳନ କରାଯିବା ଉଚିତ୍। ମାତ୍ର ରୋଗୀଙ୍କ ଜୀବନ ସହ ଖେଳ ଖେଳି ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ବାଧାପ୍ରାପ୍ତ କରି ଜାତୀୟ ପର୍ବ ପାଳନ କରିବା କେତେଦୂର ଗ୍ରହଣୀୟ ? ପ୍ରଶାସନ ନିଜ ସୁବିଧା ପାଇଁ ରୋଗୀଙ୍କ ସ୍ୱାର୍ଥକୁ ବଳି ପକାଉଛି। ଯଦି ପ୍ରଶାସନ ନିଜ ନିଷ୍ପତ୍ତିରେ ପୁନର୍ବିଚାର ନକରେ, ତେବେ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଧରଣର ଜନଅସନ୍ତୋଷ ସୃଷ୍ଟି ହେବାର ସମ୍ଭାବନା ରହିଛି। କୌଣସି ଅଘଟଣ କିମ୍ବା ଅପ୍ରୀତିକର ସ୍ଥିତି ଘଟିବା ପୂର୍ବରୁ ସମ୍ବଲପୁର ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ଏବଂ ପ୍ୟାରେଡ୍ ପାଇଁ ଅନ୍ୟ କୌଣସି ବିକଳ୍ପ ସୁରକ୍ଷିତ ସ୍ଥାନ ନିର୍ଦ୍ଧାରିତ କରନ୍ତୁ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ବୈଠକରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ପ୍ରବୀଣା ବିଲୁଙ୍ଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ୍ ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକଙ୍କ ସମେତ ସାଂସଦ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ପିଇଟି, ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ, ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମଚାରୀ ପ୍ରଖୁଖ ଉପସ୍ଥିତ ଥିଲେ।

