ବ୍ଲକ୍ କାର୍ଯ୍ୟାଳୟ ପରିସରରେ ନିର୍ମାଣାଧୀନ କୋଠା କାର୍ଯ୍ୟରେ ଅନିୟମିତତା ଅଭିଯୋଗ: ଉଚ୍ଚସ୍ତରୀୟ ତଦନ୍ତ ଦାବି
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ତିଆରି ହେଉଥିବା ନୂତନ ସରକାରୀ କୋଠା ନିର୍ମାଣକୁ ନେଇ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି। କୋଠାର ଗୁଣବତ୍ତା, ସ୍ୱଚ୍ଛତା ଏବଂ ନିର୍ମାଣ ସାମଗ୍ରୀର ସ୍ଥାୟିତ୍ୱ କୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି।
ସୂଚନା ଅନୁସାରେ, ଜମନକିରା ବ୍ଲକ ବିଡିଓ ଏବଂ ସହକାରୀ ନିର୍ବାହୀ ଙ୍କ କାର୍ଯ୍ୟାଳୟ ସାମ୍ନା କୁ ଲାଗି ଦୁଇଟି ଥାକରେ ଗୋଟିଏ ନୂତନ କାର୍ଯ୍ୟାଳୟ ପାଇଁ କୋଠା ନିର୍ମାଣ ହେଉଛି। ଉକ୍ତ କୋଠା ପାଇଁ ପୃଥକ୍ ପୃଥକ୍ ଭାବେ ଟେଣ୍ଡର ର କାର୍ଯ୍ୟାଦେଶ ଦିଆଯାଇଛି। ତେବେ କୋଠାର ଉଭୟ ଥାକ କାମ ପାର୍ଥକ୍ୟ ତଫାତ୍ ଉଲ୍ଲେଖ କରାଗଲା। ସୂଚନା ଅନୁସାରେ, ଉକ୍ତ କୋଠା ନିର୍ମାଣ ପାଇଁ ଦୁଇଟି ପୃଥକ୍ ପୃଥକ୍ ଭାଗରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ପ୍ରଥମ ଭାଗରେ ଲିଣ୍ଟାଲ (Lintel) ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନା କରାଯାଇଥିବା ବେଳେ ଅନ୍ୟ ଜଣେ ଲିଂଟାଲ ଉପର ଭାଗ ଛାତ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନା ପାଇଁ ଟେଣ୍ଡର ହୋଇଥିଲା।ପ୍ରଥମ ଭାଗ ଜୈନିକ ଠିକାଦାରଙ୍କ ଦ୍ୱାରା ନିୟମାନୁସାରେ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା। ମାତ୍ର ଦ୍ୱିତୀୟ ଭାଗରେ ଲିଣ୍ଟାଲ୍ ଠାରୁ ଛାତ ପର୍ଯ୍ୟନ୍ତ କାର୍ଯ୍ୟ ଦାୟିତ୍ୱ ନେଇଥିବା ବର୍ତ୍ତମାନର ଠିକାଦାରଙ୍କ କାର୍ଯ୍ୟଶୈଳୀ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ନିୟମାନୁସାରେ ଯେକୌଣସି ନିର୍ମାଣ ସ୍ଥଳରେ ପ୍ରକଳ୍ପର ନାମ, ଅଟକଳ ମୂଲ୍ୟ, ବିଭାଗୀୟ ଯନ୍ତ୍ରୀ, କାର୍ଯ୍ୟାରମ୍ଭ ତାରିଖ, କାର୍ଯ୍ୟାଶେଷ, ଆର୍ଥିକ ବର୍ଷ, ବିଭାଗର ନାମ, ଯୋଜନାର ନାମ ଓ ଠିକାଦାରଙ୍କ ନାମ ଆଦି ଉଲ୍ଲେଖ ଥିବା ସୂଚନା ଫଳକ ଲଗାଯିବା ବାଧ୍ୟତାମୂଳକ। ମାତ୍ର ଏଠାରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ, ଯାହା ଦ୍ୱାରା ପ୍ରକଳ୍ପର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୋଡେଇ କାର୍ଯ୍ୟରେ ବାଲି ଓ ସିମେଣ୍ଟର ଅନୁପାତ ଠିକ୍ ରହୁ ନଥିବା ଏବଂ ଆବଶ୍ୟକତାଠାରୁ ଯଥାଯଥ କମ୍ ସିମେଣ୍ଟ ବ୍ୟବହାର କରାଯାଉଥିବା ଦେଖାଯାଇଛି। ନିର୍ମାଣ ସ୍ଥଳରେ ବ୍ୟବହୃତ ହେଉଥିବା ଫ୍ଲାଇଆଶ୍ ଇଟା ଗୁଡ଼ିକର ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର, ଯାହା ଅଳ୍ପ ଆଘାତରେ ଭାଙ୍ଗି ଯାଉଛି। ଦୀର୍ଘ ଦିନରୁ ଖରା ଓ ବର୍ଷା ପାଣିରେ ପଡ଼ି ରହି ଅତ୍ୟଧିକ କଳଙ୍କି ଲାଗି ଯାଇଥିବା ଲୁହା ଛଡ଼ ଗୁଡ଼ିକୁ ସଫା ନକରି ସେହିପରି ବ୍ୟବହାର କରାଯାଉଛି। ଏହା ଦ୍ୱାରା ଭବିଷ୍ୟତରେ କୋଠାର ସ୍ଥାୟିତ୍ୱ ବିପନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ନିର୍ମାଣ କାର୍ଯ୍ୟଟି ସାକ୍ଷାତ୍ ବ୍ଲକ୍ ଉନ୍ନୟନ ଅଧିକାରୀ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁଥିଲେ ହେଁ, କୌଣସି ପ୍ରଶାସନିକ ତଦାରଖ ନହେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସମ୍ପୃକ୍ତ ଅଧିକାରୀମାନଙ୍କ ନାକ ତଳେ ଏପରି କାମ କିପରି ବରଦାସ୍ତ କରାଯାଉଛି, ତାହାକୁ ନେଇ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଅଭିସନ୍ଧି ଥିବା ନେଇ ଚର୍ଚ୍ଚା ହେଉଛି। ସରକାରୀ ଅର୍ଥର ଅପବ୍ୟୟ କୁ ରୋକିବା ପାଇଁ ଏହି ନିର୍ମାଣ କାର୍ଯ୍ୟର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ, ନିର୍ମାଣ ସ୍ଥଳରେ ସୂଚନା ଫଳକ ଲଗାଯାଉ ଏବଂ ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାର ଓ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ନାଗରିକ ମହଲରେ ଦାବି ହୋଇଛି।
ଏସଂକ୍ରାନ୍ତରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ତେବେ ନିମ୍ନ ମାନରେ କାର୍ଯ୍ୟ ଶେଷ ହୋଇ ଯାଇଥବା କାର୍ଯ୍ୟ କୁ କିପରି ସୁଧାର କରାଯିବ ତାହା ଦେଖିବାକୁ ବାକି ରହିଲା।

