ବୁଲଡୋଜର ତଳେ ଭିଟାମାଟି: ତବଳବାଞ୍ଜିରେ ପ୍ରଶାସନିକ ଉଚ୍ଛେଦ, ଗାଁରେ ତୀବ୍ର ଉତ୍ତେଜନା ।
ବଲାଙ୍ଗୀର,୫।୮: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ତବଳବାଞ୍ଜି ଗାଁରେ ପ୍ରଶାସନିକ ଉଚ୍ଛେଦ ଏବଂ ବିସ୍ଥାପନ ପ୍ରକ୍ରିୟାକୁ ନେଇ ଚରମ ଉତ୍ତେଜନା ପ୍ରକାଶ ପାଇଛି। ଉଚ୍ଛେଦ ପୂର୍ବରୁ ସମୁଚିତ କ୍ଷତିପୂରଣ ଏବଂ ସ୍ଥାୟୀ ଘରଡିହ ଚିହ୍ନଟ ଦାବିରେ ଆନ୍ଦୋଳନରତ ଗ୍ରାମବାସୀଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେବା ପରେ ଗ୍ରାମରେ ଅସନ୍ତୋଷର ନିଆଁ ଜଳିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ତବଳବାଞ୍ଜି ଗ୍ରାମର ପୁରୁଷ, ମହିଳା, ବୃଦ୍ଧବୃଦ୍ଧା ଓ ଶିଶୁମାନେ ନିଜର ମୌଳିକ ଅଧିକାର ଓ ସ୍ଥାୟୀ ବାସଗୃହ ଦାବିରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ସାମ୍ନାରେ ରଖି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ। ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ କରାଯାଉଥିବାରୁ ସେମାନେ ପ୍ରତିବାଦ ଜଣାଇଥିଲେ। ଉଚ୍ଛେଦ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଥିଲା। ଆନ୍ଦୋଳନକାରୀମାନେ ହଟିବାକୁ ନାଛୋଡ଼ ବାନ୍ଦା ହେବାରୁ ପୋଲିସ ସେମାନଙ୍କୁ ବଳପୂର୍ବକ ଉଠାଇ ନେଇ ଅଟକ ରଖିଥିଲା। ଏହାକୁ ନେଇ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଠେଲାପେଲା ଏବଂ ଗହଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀଙ୍କୁ ହଟାଇବା ପରେ ପ୍ରଶାସନ ପକ୍ଷରୁ JCB (ବୁଲଡୋଜର) ମେସିନ୍ ସାହାଯ୍ୟରେ ଗ୍ରାମର କଞ୍ଚା ଓ ମାଟି ଘରଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ନିଜ ଆଖି ସାମ୍ନାରେ ନିଜର ଭିଟାମାଟି ଭାଙ୍ଗିଯାଉଥିବା ଦେଖି ବିସ୍ଥାପିତ ପରିବାର ମଧ୍ୟରେ କାନ୍ଦବୋବାଳି ଛୁଟିଥିଲା। ବର୍ତ୍ତମାନ ସୁଦ୍ଧା ଗ୍ରାମରେ ବର୍ତ୍ତମାନ ସୁଦ୍ଧା ଚାପା ଉତ୍ତେଜନା ବଜାୟ ରହିଛି। ବିନା ଆଗୁଆ ବାସସ୍ଥଳୀ ଓ ବିନା କ୍ଷତିପୂରଣରେ ଏହିପରି ଭାବେ ଗୃହହୀନ କରିବା ପ୍ରଶାସନର ଏକପାଖିଆ ମନୋଭାବକୁ ଦର୍ଶାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିସ୍ଥାପିତ ପରିବାରମାନେ ଖୋଲା ଆକାଶ ତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।

