ଭୀମଭୋଇ ମେଡିକାଲ କଲେଜରେ ସ୍ଵୀପରଙ୍କ କାମ ବନ୍ଦ ଆନ୍ଦୋଳନ: ୧୫ ଦଫା ଦାବି ନେଇ ଧାରଣା, ଅଚଳ ହୋଇପାରେ ପରିମଳ ବ୍ୟବସ୍ଥା ।
ବଲାଙ୍ଗୀର,୫।୮: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସ୍ଵୀପର (ସଫେଇ କର୍ମଚାରୀ) ମାନେ ନିଜର ୧୫ ଦଫା ଦାବିପୂରଣ ନିମନ୍ତେ କାମ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜଣେ କର୍ମଚାରୀଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ଅନ୍ୟାୟପୂର୍ଣ୍ଣ ପଦକ୍ଷେପର ପ୍ରତ୍ୟାହାର, ବାରମ୍ବାର ଦୁର୍ବ୍ୟବହାରର ପ୍ରତିବାଦ ଏବଂ ଚାକିରି ନିୟମିତୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ନେଇ ସ୍ଵୀପରମାନେ ମେଡିକାଲ କଲେଜ ପରିସରରେ ଗଣଧାରଣା ଦେଇଛନ୍ତି।
ଆନ୍ଦୋଳନକାରୀ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ସେମାନଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର କରାଯାଉଛି। ଭିନ୍ନ ଭିନ୍ନ ସମୟରେ ସେମାନଙ୍କ ସହ ଖରାପ ବ୍ୟବହାର କରାଯାଉଥିଲେ ହେଁ କର୍ତ୍ତୃପକ୍ଷ ଏହାକୁ ଏଡ଼ାଇ ଯାଉଛନ୍ତି। ଆଉଟସୋର୍ସିଂ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ଦାବିକୁ ଶୁଣାଯାଉନାହିଁ। ତେଣୁ ସେମାନଙ୍କୁ ଆଉଟସୋର୍ସିଂ ପ୍ରଥାରୁ ମୁକ୍ତ କରି ସ୍ଥାୟୀ/ନିୟମିତ (Regular) କର୍ମଚାରୀ ଭାବେ ମାନ୍ୟତା ଦେବାକୁ ସେମାନେ ଦାବି କରିଛନ୍ତି।
ପଶ୍ଚିମ ଓଡ଼ିଶା ସୁପର ସଂଘର ସଭାପତି କିଶୋର କୁମାର କହିଛନ୍ତି ଯେ, “ଆମକୁ ଅତ୍ୟନ୍ତ ହୀନ ଦୃଷ୍ଟିରେ ଦେଖାଯାଉଛି। ଆନ୍ଦୋଳନକୁ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ କିମ୍ବା କୌଣସି ଦାୟିତ୍ୱବାନ ଅଧିକାରୀ ଆମ ସହ ଆଲୋଚନା ପାଇଁ ଆସିନାହାନ୍ତି। ଯଦି ଆଗାମୀ ୨୪ ଘଣ୍ଟା ମଧ୍ୟରେ କର୍ତ୍ତୃପକ୍ଷ ଆମ ସହ ସମସ୍ୟାର ସମାଧାନ ପାଇଁ ଆଲୋଚନା ନକରନ୍ତି, ତେବେ ଆମେ ସମଗ୍ର ପଶ୍ଚିମ ଓଡ଼ିଶାର ସବୁ ସ୍ଵୀପରଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେବୁ।”
ସ୍ଵୀପରମାନେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ କରିଥିବାରୁ ମେଡିକାଲ କଲେଜର ସଫେଇ ଓ ପରିମଳ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଏହାଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଅନ୍ୟପଟେ, ସ୍ଵୀପରମାନଙ୍କର ଏହି ଗଣଧାରଣା ଓ କାମ ବନ୍ଦ ଆନ୍ଦୋଳନ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ କିମ୍ବା ଭୀମଭୋଇ ମେଡିକାଲ କଲେଜ (VBMCH) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ମିଳିପାରିନାହିଁ।

