Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲରେ ହାତୀ ଆତଙ୍କ: କାନ୍ଥ ଭାଙ୍ଗି ଶୋଇଥିବା ପରିବାରକୁ ଦଳିଦେଲେ, ୨ ଶିଶୁଙ୍କ ସହ ୪ ଗୁରୁତର; ବନାଞ୍ଚଳରେ ଘୁରି ବୁଲୁଛନ୍ତି ୩୭ ହାତୀ ।

ବଲାଙ୍ଗିର,୬।୮: ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ମୁରିବାହାଲ ବନାଞ୍ଚଳରେ ପୁଣି ହାତୀଙ୍କ ଉପଦ୍ରବ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବୁଧବାର ବିଳମ୍ବିତ ରାତିରେ ଇଚ୍ଛାପଡ଼ା ପଞ୍ଚାୟତ ସର୍ଗୁଲ ଗ୍ରାମରେ ୧୫ ଟିକିଆ ଏକ ହାତୀପଲ ଆସବେଷ୍ଟସ ଘର ଭାଙ୍ଗି ଦେବାରୁ କାନ୍ଥ ତଳେ ଚାପି ହୋଇ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଆଶଙ୍କାଜନକ ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସର୍ଗୁଲ ଗ୍ରାମର ଲିଙ୍ଗରାଜ ଭୋଇ (୪୫) ଗାଁ ନିକଟସ୍ଥ ନିଜ ଜମିରେ ଏକ ଅସ୍ଥାୟୀ ଆସବେଷ୍ଟସ ଘର କରି ସ୍ତ୍ରୀ ସୁମିତ୍ରା (୩୫), ପୁଅ ମାନସ (୧୨) ଓ ଝିଅ ମାଧୁରୀ (୫)ଙ୍କ ସହ ରହୁଥିଲେ। ବୁଧବାର ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ପାଟଣାଗଡ଼ ବନାଞ୍ଚଳ ପାର୍ଶ୍ୱରୁ ଲାନ୍ଥ ନଦୀ ପାର ହୋଇ ଆସିଥିବା ୧୫ ଟିକିଆ ହାତୀପଲ ହଠାତ୍ ଲିଙ୍ଗରାଜଙ୍କ ଘରକୁ ଆକ୍ରମଣ କରି ଭାଙ୍ଗି ଦେଇଥିଲେ। ଘରର କାନ୍ଥ ପଡ଼ିଯିବାରୁ ଶୋଇଥିବା ଅବସ୍ଥାରେ ପରିବାରର ସମସ୍ତ ୪ ଜଣ ସଦସ୍ୟ ଚାପି ହୋଇଯାଇଥିଲେ।
ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘେରାଉ ମଧ୍ୟରୁ ଘଉଡ଼ାଇବା ସହ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଲିଙ୍ଗରାଜ ଓ ତାଙ୍କ ପୁଅ ମାନସଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ଭୋର ପ୍ରାୟ ୪ଟା ୩୦ରେ ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଗୁରୁବାର ସକାଳେ ମୁରିବାହାଲ ବନାଞ୍ଚଳ ଅଧିକାରୀ ଡମୁରୁଧର ପଧାନ, ବନପାଳ ହୃଷୀକେଶ ଭୋଇ, ମନୋଜ ଦଣ୍ଡସେନା ଓ କାର୍ତ୍ତି ସୁଆର ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହିତ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତମୀ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ନିୟମାନୁସାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ପଧାନ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories