ଲୋୟର ସୁକତେଲ୍ର କରୁଣ ଚିତ୍ର: କାଲିର ‘ଗଁଅତିଆ’ ଆଜି ‘ପରିବା ବିକାଲି’, ମାଟି ହରାଇ ବଲାଙ୍ଗୀର ସହରରେ ସୁରତ ଗଡ଼ତ୍ୟା ।
ବଲାଙ୍ଗୀର,୭।୮: “ଟଙ୍କା ଆଜି ଅଛି, କାଲିକୁ ନାହିଁ। ହେଲେ ପିଢ଼ି ପରେ ପିଢ଼ି ପାଇଁ ସମ୍ବଳ ହୋଇ ରହିଥିବା ମାଟି ଓ ମହୁଲ ସହ ସମ୍ପର୍କ ଆଜି ଶୂନ୍ୟ।” ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପର ବିସ୍ଥାପନ ଯନ୍ତ୍ରଣା ଆଜି ଜଣେ ସମ୍ଭ୍ରାନ୍ତ ଚାଷୀଙ୍କୁ ବଜାରର ପରିବା ବିକାଲିରେ ପରିଣତ କରିଦେଇଛି। ଯେଉଁ ଗାଁରେ ଦିନେ ତାଙ୍କର ଦବ୍ଦବା ଥିଲା, ୧୫ ଏକର ଜମିର ମାଲିକାନା ଥିଲା, ସେହି ‘ଗଁଅତିଆ’ ଆଜି ଜୀବିକା ହରାଇ ସର୍ବସାଧାରଣ ରାସ୍ତା କଡ଼ରେ ପନିପରିବା ବିକିବାକୁ ବାଧ୍ୟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ୍ ଡ୍ୟାମ୍ର ଆଡ଼ିବନ୍ଧ ନିର୍ମାଣ ଅଞ୍ଚଳ ମଧ୍ୟରେ ଆସୁଥିଲା ପରଧିଆପାଲି ଗ୍ରାମ। ଏହି ଗ୍ରାମର ଅଧିବାସୀ ସୁରତ ଗଡ଼ତ୍ୟା ଦିନେ ୧୫ ଏକର ଚାଷଜମିର ମାଲିକ ଭାବେ ଗାଁରେ ‘ଗଁଅତିଆ’ର ପରିଚୟ ବହନ କରୁଥିଲେ। ପ୍ରକଳ୍ପ ନିର୍ମାଣ ପାଇଁ ଗାଁ ବିସ୍ଥାପିତ ହେବା ସହ ତାଙ୍କର ସମସ୍ତ ଜମି ବୁଡ଼ି ଅଞ୍ଚଳକୁ ଚାଲିଗଲା। କ୍ଷତିପୂରଣ ବାବଦରେ ମିଳିଥିବା ଅର୍ଥ ଆଜି ସରିଯାଇଥିବା ବେଳେ, ଚାଷଜମି ଏବଂ ଭିଟାମାଟି ହରାଇ ସେ ସମ୍ପୂର୍ଣ୍ଣ ସର୍ବହରା ହୋଇପଡ଼ିଛନ୍ତି।
ଅଭାବ ଓ ଅନାଟନର ତାଡ଼ନାରେ ଆଜି ସେ ବଲାଙ୍ଗୀର ସହରର ରାସ୍ତା କଡ଼ରେ ପନିପରିବା ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଆଖି ଆଗରେ ନିଜ ଭିଟାମାଟି ଓ ଭବିଷ୍ୟତ ବିଲୀନ ହୋଇଯିବାର ଯନ୍ତ୍ରଣା ତାଙ୍କୁ ଆଜି ବି ଝୁରୁଛି।
ବିସ୍ଥାପନର ଏହି କରୁଣ ଦୃଶ୍ୟ କେବଳ ସୁରତ ଗଡ଼ତ୍ୟାଙ୍କର ନୁହେଁ, ବରଂ ପ୍ରକଳ୍ପ ଅଞ୍ଚଳର ଅନେକ ବିସ୍ଥାପିତ ପରିବାରର ବାସ୍ତବ ଚିତ୍ରକୁ ପଦାରେ ପକାଉଛି। କ୍ଷତିପୂରଣର ସାମୟିକ ଅର୍ଥ ଯେ ସ୍ଥାୟୀ ଜୀବିକାର ବିକଳ୍ପ ହୋଇପାରିବ ନାହିଁ, ଏହି ଘଟଣା ତାହାର ଏକ ଜ୍ୱଳନ୍ତ ଉଦାହରଣ। “ଏମିତି ଦୃଶ୍ୟ ଆଉ କାହା ଭାଗ୍ୟରେ ନ ଆସୁ” ବୋଲି ସ୍ଥାନୀୟ ଲୋକେ ଓ ବିସ୍ଥାପିତମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି।

