ପୁଇଁତଳାରେ ନୃଶଂସ ହତ୍ୟାକାଣ୍ଡ: ଏକାକୀ ରହୁଥିବା ମହିଳାଙ୍କୁ ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ ।
ବଲାଙ୍ଗୀର, ୯।୮: ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମରେ ଜଣେ ଅବିବାହିତା ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ସେହି ଗ୍ରାମର ଗୀତାଞ୍ଜଳି ଷଡ଼ଙ୍ଗୀ (୪୫) ବୋଲି ଚିହ୍ନଟ କରାଯାଇଛି। ଘରେ ଏକାକୀ ଥିବା ବେଳେ ଦୁର୍ବୃତ୍ତମାନେ ଅତି ନିଷ୍ଠୁର ଭାବେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଛନ୍ତି।
ପାରିପାର୍ଶ୍ୱିକ ସ୍ଥିତିରୁ ପ୍ରକାଶ ଯେ, ଶନିବାର ରାତିରେ ଗୀତାଞ୍ଜଳି ଘରେ ଏକାକୀ ଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଗୃହ ମଧ୍ୟରେ ପ୍ରବେଶ କରିଥିଲେ। ଗୀତାଞ୍ଜଳି ବିବାହ କରି ନ ଥିବାରୁ ଏକାକୀ ରହୁଥିଲେ। ଗ୍ରାମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଜମିବାଡ଼ି ବିକ୍ରିବଟା ଓ ଟଙ୍କା ନେଣଦେଣ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ। ହତ୍ୟାକାରୀମାନେ ଅତି ଚତୁରତାର ସହ ହତ୍ୟାକାଣ୍ଡ ଭିଆଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାରୁ ଗ୍ରାମର କେହି ହେଲେ ବି ସେମାନଙ୍କୁ ଦେଖିପାରି ନାହାନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ପୁଇଁତଳା ଥାନା ପୋଲିସ ତୁରନ୍ତ ସଂପୃକ୍ତ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ହତ୍ୟାକାଣ୍ଡର ସୂକ୍ଷ୍ମ ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ ନମୁନା ଓ ସୁରାକ୍ ସଂଗ୍ରହ କରିଛି।
ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଚିହ୍ନଟ କରି ଗିରଫ କରିବାକୁ ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଦାବି କରିଛନ୍ତି।

