Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହନଗା ଟ୍ରେନ ଟ୍ରାଜେଡି: ୩ଟି ଓ୍ଵେବସାଇଟରେ ଫଟୋ ଅପଲୋଡ୍, ଦେଶ ଏବଂ ରାଜ୍ୟ ପାଇଁ ୨ଟି ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ଵର: ବାହାନଗା ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୭୫ ହୋଇଥିବା ମୁଖ୍ୟ ସଚିବ ବଡ଼ ସୂଚନା ଦେଇଛନ୍ତି। ଗୋଟିଏ ମୃତଦେହକୁ ୨ ଥର ଗଣିବା ଏବଂ ଅନ୍ୟାନ୍ୟ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା। ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି ବୋଲି ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି। ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ଏବଂ ମୃତଦେହ ପଠାଇବାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଉଲ୍ଲେଖନୀୟ ଶୁକ୍ରବାର ସନ୍ଧ୍ୟା ୭ଟାରେ ବାହାନଗା ବଜାର ଷ୍ଟେସନ ନିକଟରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା। ଏହା ପୂର୍ବରୁ ମୃତ୍ୟୁ ସଂଖ୍ୟା ୩୦୦ ଟପିଥିବା ବେସରକାରୀ ସୂତ୍ରରୁ ଖବର ପ୍ରକାଶ ପାଇଥିଲା।

ମୁଖ୍ୟ ସଚିବ କହିଛନ୍ତି ୩ଟି ଓ୍ଵେବସାଇଟରେ ମୃତକଙ୍କ ଫଟୋ ଅପଲୋଡ୍ କରାଯାଇଛି। ଓ୍ଵେବସାଇଟ୍ ହେଉଛି www.osda.org, www.srcodisha.nic.in, www.bmc.gov.in। ଅପଲୋଡ୍ ଫଟୋ ଗୁଡ଼ିକୁ ବିନା ଅନୁମତିରେ ବ୍ୟବହାର କରାଯାଇ ପାରିବନି। ଚିହ୍ନଟ ପ୍ରକ୍ରିୟାର କୋର୍ଡିନେଟ୍ ପାଇଁ ଏକ ଟିମ୍ ଗଠନ କରାଯାଇଛି। କ୍ୟାପିଟାଲ୍ ହସ୍ପିଟାଲ୍, ଆମ୍ରି, ସମ୍ ଏବଂ କିମ୍ସରେ ମୃତଦେହ ରଖାଯାଇଛି। ପ୍ରତି ହସ୍ପିଟାଲରେ ବିଏମସି ନୋଡାଲ ଅଫିସର ନିଯୁକ୍ତ ରହିଛନ୍ତି। ଦେଶ ଏବଂ ରାଜ୍ୟ ପାଇଁ ୨ଟି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଦେଶ ପାଇଁ ଟୋଲ ଫ୍ରି ନମ୍ବର ହେଉଛି ୧୮୦୦୩୪୫୦୦୬୧, ରାଜ୍ୟ ଭିତର ଟୋଲ୍ ଫ୍ରି ନମ୍ବର ହେଉଛି ୧୯୨୯। ମୃତଦେହ ପଠାଇବାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ମୃତ ସଂଖ୍ୟା ୨୭୫

ସେ କହିଛନ୍ତି, ୨୭୫ ମୃତଦେହରୁ ୮୮ଟି ଚିହ୍ନଟ ହୋଇ ପାରିଥିବା ବେଳେ ୧୮୭ଟି ଚିହ୍ନଟ ହୋଇ ପାରିନି। ଚିହ୍ନଟ ୮୮ଟି ମୃତଦେହରୁ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି। ଆଉ ୧୦ଟି ମୃତଦେହର ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ୧୮୭ ମୃତଦେହରୁ ୧୭୦ ଭୁବନେଶ୍ଵର ଅଣା ଯାଇଛି। ବାକି ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା କରାଯାଉଛି। ମୃତଦେହ ଚିହ୍ନଟ ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ସମସ୍ତ ମୃତଦେହର ଫଟୋଗ୍ରାଫି କରାଯାଇଛି। ଆବଶ୍ୟକସ୍ଥଳେ ମୃତଦେହର ଡିଏନଏ ସାମ୍ପଲିଂ କରାଯିବ।

ଜୋରସୋରରେ ଚାଲିଛି ଟ୍ରାକ ମରାମତି କାମ

ଏଥିସହ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାମ ତଦାରଖ କରିଛନ୍ତି ରେଳ ମନ୍ତ୍ରୀ। ଆଜି ସୁଦ୍ଧା ଗୋଟିଏ ଟ୍ରାକ ପ୍ରସ୍ତୁତ ହୋଇଯିବ। ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ଦକ୍ଷିଣ ପୂର୍ବ ରେଲଓ୍ଵେର ମୁଖ୍ୟ ଜନସଂପର୍କ ଅଧିକାରୀ ଆଦିତ୍ୟ କୁମାର କହିଛନ୍ତି ଆମେ ଖୁବ୍ ଶୀଘ୍ର ମରାମତି କାମ ସାରିବାକୁ ଉଦ୍ୟମ କରିବୁ। ଏଠାରେ ୪-୫ ଡିବିଜନ ଏବଂ ୨-୩ ଜୋନର ଟିମର ୧୦୦୦ରୁ ଉର୍ଦ୍ଧ୍ଵ କାମରେ ଲାଗିଛନ୍ତି। ରେଲଓ୍ଵେର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଯେତେ ଶୀଘ୍ର ସମ୍ଭବ ଚଳାଚଳ ସ୍ଵାଭାବିକ କରିବାକୁ ଉଦ୍ୟମ କରିବୁ।

ରେଳ ଅଧିକାରୀ କହିଛନ୍ତି, ବୁଲଡୋଜର ଏବଂ କ୍ରେନ ସାହାଯ୍ୟରେ ଶନିବାର ରାତି ସାରା ଟ୍ରେନ ଲାଇନରୁ କ୍ଷତିଗ୍ରସ୍ତ ବଗିକୁ ହଟା ଯାଇଛି। ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଇଲେକ୍ଟ୍ରିକ ଲାଇନ ଏବଂ ଟ୍ରାକର ମରାମତି କାମ ଜାରି ରହିଛି। ରେଳ ବିଭାଗର କର୍ମଚାରୀ ୨୪ ଘଣ୍ଟା କାମରେ ଜୁଟିଛନ୍ତି। ଟ୍ରାକରୁ ହଟାଯାଇଥିବା ବଗିଗୁଡ଼ିକୁ ତନ୍ନ ତନ୍ନ ଯାଞ୍ଚ କରାଯାଉଛି ଯଦ୍ଵାରା ସୁନିଶ୍ଚିତ କରାଯାଇ ପାରିବ ଯେ, ବଗି ଭିତରେ କୌଣସି ମୃତଦେହ ଫସି ନରହୁ।