Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଲକି ନାଳ ପୋଲ ଉପରେ 4 ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଖଣ୍ଡହତା- ସାହାଜଲଥା ଯୋଗାଯୋଗ ବିଚ୍ଛିନ୍ନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ତଥା ରେଢ଼ାଖୋଲ ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁ ବିଭିନ୍ନ ଜୋର ଓ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଖଣ୍ଡହତା-ସାହାଜଲଥା ରାସ୍ତାରେ ଥିବା ଦଲକି ନାଳ ପୋଲ ଉପରେ ପ୍ରାୟ ୪ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ରବିବାର ଭୋରରୁ ଏହି ରାସ୍ତାରେ ଯାତାୟାତ ବିଚ୍ଛିନ୍ନ ହୋଇପଡ଼ିଛି।ସୂଚନା ଅନୁସାରେ, ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଏ ଅଞ୍ଚଳ ଦେଇ ପ୍ରବାହିତ ସୁରବାଲି ଜୋରରେ ବନ୍ୟାଜଳ ଆସିଛି। ଦଲକି ନାଳ ସାହାଜଲଥା ନିକଟରେ ସୁରବାଲି ଜୋରରେ ମିଶିଥିବାରୁ ସୁରବାଲି ଜୋରରେ ଅଧିକ ପାଣି ଆସିବା ଯୋଗୁ ଦଲକି ନାଳର ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି । ଫଳରେ ପୋଲ ଉପରେ ବନ୍ୟାଜଳର ଉଚ୍ଚତା ବଢ଼ି ପ୍ରାୟ ୪ ଫୁଟ୍‌ରେ ପହଞ୍ଚିଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଖଣ୍ଡହତା ଓ ସାହାଜଲଥା ମଧ୍ୟରେ ଯାତାୟାତ ବନ୍ଦ ରହିଛି। ଏହାର ପ୍ରଭାବରେ ସାହାଜଲଥା ସମେତ ବୀରମହାରାଜପୁର ଉପରେ ନିର୍ଭରଶୀଳ ରେଢ଼ାଖୋଲ ବ୍ଲକର ଭରତାପୁର ପଞ୍ଚାୟତ ଅଧୀନ ଭତରା, ସରୁଆଝୁଲି, ସରଗିପାଲ, ଆରଖକୁଦ, ତେନ୍ତେଲାଖୋଲ, ବଡ଼ଖୋଲ ଓ ଭୀମମୁଣ୍ଡା ଆଦି ଗ୍ରାମର ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଖଣ୍ଡହତା ଅଞ୍ଚଳରୁ ରେଢ଼ାଖୋଲକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଜାରି ରହିଲେ ଜଳସ୍ତର ଆହୁରି ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ