“ହର ଘର ତ୍ରିରଙ୍ଗା” ଶୋଭାଯାତ୍ରାରେ କମ୍ପିଲା ବଲାଙ୍ଗୀର: ସରକାରୀ ମହିଳା ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ।
ବଲାଙ୍ଗୀର,୧୧।୮: ଦେଶପ୍ରେମ ଓ ମାତୃଭୂମି ପ୍ରତି ସମର୍ପଣ ଭାବନାକୁ ନେଇ ବଲାଙ୍ଗୀର ଜିଲ୍ଲାସ୍ତରୀୟ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଆଜି ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। “ରାଷ୍ଟ୍ର ପ୍ରଥମ, ମେରା ଦେଶ ମେରୀ ପେହେଚାନ” ଏବଂ “ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା”ର ନାରାରେ ଆଜି ଗଗନପବନ ମୁଖରିତ ହୋଇଉଠିଥିଲା।
‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଏହି ଅଭୂତପୂର୍ବ ଅଭିଯାନ ଆୟୋଜିତ ହୋଇଥିଲା। ଏହି ଉପଲକ୍ଷେ ବଲାଙ୍ଗୀର ସର୍କିଟ ହାଉସଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସରକାରୀ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ, ଆରକ୍ଷୀ ବାହିନୀ, ବିଭିନ୍ନ ସରକାରୀ ବିଭାଗର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଜନତା ସାମିଲ ହୋଇ ଦେଶପ୍ରେମର ସଂକଳ୍ପ ନେଇଥିଲେ।
ଏହାପରେ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପବିତ୍ର “ବନ୍ଦେ ମାତରମ୍” ଧ୍ୱନିରେ ସମଗ୍ର ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅମୂଲ୍ୟ ବଳିଦାନ ଏବଂ ସ୍ୱାଧୀନତା ସଂଗ୍ରାମର ସଂଘର୍ଷକୁ ସ୍ମରଣ କରାଯିବା ସହ ଜନମାନସରେ ମାତୃଭୂମି ପ୍ରତି ସୌହାର୍ଦ୍ଦ୍ୟ ଓ ଜାତୀୟତାବୋଧ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଏହି ସମାରୋହରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ବଲ୍ଲଭ ଧାରୁଆ, ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଦୀନେଶ ଶର୍ମା, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଓଝା ଏବଂ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଈଶାଲୱାର ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ।

