Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଟଙ୍କା ଆସିବା ପାଲଟିଲା କାଳ: ନୋଟିସ୍ ନଦେଇ ବ୍ୟାଙ୍କ ଆକାଉଣ୍ଟ ସହ ପେନସନ୍ ବନ୍ଦ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ।

ବଲାଙ୍ଗୀର,୧୩।୮: ସାଇବର ଆକ୍ରମଣ ଓ ପ୍ରଶାସନିକ ଅବହେଳା ଜଣେ ନିରୀହ ଅବସରପ୍ରାପ୍ତ କର୍ମଚାରୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ବଲାଙ୍ଗୀର ସହରର ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଓମପ୍ରକାଶ ନାୟକ ଏବେ ନିଜର ବୈଧ ଅର୍ଜିତ ଧନ ଓ ପେନସନ୍ ଟଙ୍କା ପାଇବାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ସୂଚନା ଅନୁଯାୟୀ, ଗତ ୪ ବର୍ଷ ତଳେ ଓମପ୍ରକାଶଙ୍କ ସ୍ପେଶାଲାଇଜ୍‌ଡ ଷ୍ଟେଟ୍ ବ୍ୟାଙ୍କ (SBI) ଆକାଉଣ୍ଟକୁ ଜଣେ ଅଜଣା ବ୍ୟକ୍ତି ଭୁଲବଶତଃ କିଛି ଟଙ୍କା ପଠାଇଥିଲେ। ଏହା ପଛରେ ସାଇବର ଠକେଇର ଲିଙ୍କ୍ ଥିବା ଦର୍ଶାଇ, କୌଣସି ପୂର୍ବ ନୋଟିସ୍ ନଦେଇ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଫ୍ରିଜ୍ କରିଦେଇଥିଲେ। ଆକାଉଣ୍ଟ ଫ୍ରିଜ୍ ହେବା କାରଣରୁ ଗତ ୪ ବର୍ଷ ହେଲା ତାଙ୍କର ସମସ୍ତ ଜମା ରାଶି ସହ ନିୟମିତ ପେନସନ୍ ମଧ୍ୟ ଅଟକି ରହିଛି।ସାମ୍ପ୍ରତିକ ସମୟରେ ଓମପ୍ରକାଶ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଡାକ୍ତର ତାଙ୍କୁ ତୁରନ୍ତ ଆଇସିୟୁ (ICU)ରେ ଭର୍ତ୍ତି କରି ଚିକିତ୍ସା କରାଇବାକୁ ପରାମର୍ଶ ଦେଇଛନ୍ତି। ମାତ୍ର ଆକାଉଣ୍ଟ ଫ୍ରିଜ୍ ଥିବାରୁ ଏବଂ ନିଜ କଷ୍ଟାର୍ଜିତ ଟଙ୍କା ଉଠାଇ ନପାରିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାରେ ଅସମର୍ଥ ହୋଇଛନ୍ତି। ଅନ୍ୟପଟେ, କିଛି ମାସ ତଳେ ତାଙ୍କ ମା’ଙ୍କର ପରଲୋକ ହୋଇଥିବା ବେଳେ, ତାଙ୍କର ୯୬ ବର୍ଷୀୟ ବୃଦ୍ଧ ପିତା (ଅବସରପ୍ରାପ୍ତ ଶିକ୍ଷକ) ପ୍ରାଣବନ୍ଧୁ ନାୟକ ମଧ୍ୟ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ଘରେ ଶଯ୍ୟାଶାୟୀ ଅଛନ୍ତି।ନିଜର ପ୍ରାପ୍ୟ ହକ୍ ପାଇଁ ଓମପ୍ରକାଶ ଓ ତାଙ୍କ ପରିବାର ଲୋକେ ବ୍ୟାଙ୍କ ଶାଖାଠାରୁ ଆରମ୍ଭ କରି ସାଇବର ପୋଲିସ ବିଭାଗ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ନିରାଶ ହୋଇଛନ୍ତି। ଏନେଇ ସେ ପଞ୍ଚାୟତିରାଜ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଏସବିଆଇର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଗୁହାରି କରିସାରିଛନ୍ତି। ହେଲେ ପ୍ରଶାସନିକ ସ୍ତରରୁ କେବଳ ଆଶ୍ୱାସନା ମିଳିଛି ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ।ନିଜର ଜୀବନସାରା ସେବା ପରେ ମଧ୍ୟ ଶେଷ ବୟସରେ ଏଭଳି ପ୍ରଶାସନିକ ଓ ବ୍ୟାଙ୍କିଙ୍ଗ ଜଟିଳତା ଯୋଗୁଁ ଜଣେ ନିରୀହ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ବିନା ଚିକିତ୍ସାରେ ଜୀବନ ସହ ସଂଗ୍ରାମ କରିବା ଆମ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories