Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଭୁବନେଶ୍ୱରରୁ ଉଦ୍ଧାର; ଖଣ୍ଡଗିରି ଅଞ୍ଚଳରୁ ମିଳିଲେ ହୋଟେଲ ‘ରାଜ ମହଲ’ ମାଲିକ ।

ବଲାଙ୍ଗୀର,୧୫।୮: ଦିନକୁ ଦିନ ବଲାଙ୍ଗୀର ସହରରେ ଅପରାଧ କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ ଗତକାଲି ବଲାଙ୍ଗୀରରୁ ଆସିଥିବା ବଡ଼ ଓ ଚାଞ୍ଚଲ୍ୟକର ଅପହରଣ ଘଟଣାରେ ସାମ୍ନାକୁ ଆସିଛି ବଡ଼ ଅପଡେଟ୍। ବଲାଙ୍ଗୀରର ପ୍ରସିଦ୍ଧ ହୋଟେଲ ‘ରାଜ ମହଲ’ର ମାଲିକ ତଥା ଜଣାଶୁଣା ରିଅଲ ଇଷ୍ଟେଟ୍ ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁଙ୍କୁ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ତାଙ୍କ ନିଜ କାରରେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଗନ୍ ପଏଣ୍ଟରେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଗତକାଲି ସକାଳେ ସେ ବଲାଙ୍ଗୀରରୁ ସୋନପୁର ଅଭିମୁଖେ ବାହାରିଥିଲେ ଏବଂ ଭଇଁସାପାଲି ଟୋଲଗେଟରେ ଅପରାହ୍ନ ୧:୪୫ ମିନିଟରେ ତାଙ୍କ କାର୍ ପାସ୍ କରିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଥିଲା।
ରାତିରେ ଗୋଟିଏ ଅଜଣା (Unknown) ନମ୍ବରରୁ ତାଙ୍କ ପୁଅଙ୍କ ପାଖକୁ କଲ୍ ଆସିଥିଲା, ଯେଉଁଥିରେ ଗୁଣ୍ଡା ସାହୁ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଗନ୍ ପଏଣ୍ଟରେ ଥାଇ କଥା ହେଉଥିବା ତାଙ୍କ ପୁଅ ପ୍ରକାଶ କରିଥିଲେ। ଏହାପରେ ରାତି ୧୦:୩୦ ରୁ ଫୋନ୍ ସ୍ଵିଚ୍ ଅଫ୍ ହୋଇଯାଇଥିଲା। ଏନେଇ ଗୁଣ୍ଡା ସାହୁଙ୍କ ପୁତୁରା ରାହୁଲ ସାହୁ ବଲାଙ୍ଗୀର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରିଥିଲା।
ବଲାଙ୍ଗୀର ଏସପି ଋଷିକେଶ ଖିଲାରୀଙ୍କ ପ୍ରତ୍ୟକ୍ଷ ନେତୃତ୍ଵରେ ଗଠିତ ୨ଟି ସ୍ପେଶାଲ୍ ଟିମ୍ ଏବଂ ଟେକ୍ନିକାଲ୍ ଟିମ୍‌ର ମୋବାଇଲ୍ ଲୋକେସନ୍ ଓ ସିସିଟିଭି ଟ୍ରାକିଂ ଆଧାରରେ ପୋଲିସ ଦୁର୍ବୃତ୍ତଙ୍କ ପିଛା କରିଥିଲା। ପୋଲିସର କଡ଼ା ଛାନଭିନ୍ ଏବଂ ଚଢ଼ଉ ଫଳରେ ସେପଟେ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇପାରିଛି।
ତେବେ ଏହି ଅପହରଣ ପଛରେ କୌଣସି ବ୍ୟବସାୟିକ ଶତ୍ରୁତା, ଟଙ୍କା କାରବାର ନା ଅନ୍ତଃରାଜ୍ୟ ଅପରାଧୀ ଗୋଷ୍ଠୀର ହାତ ରହିଛି, ସେ ନେଇ ପୋଲିସ ଅଧିକ ପଚରାଉଚରା ଓ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories