ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ ଘଟଣା: ବିଧାୟକ ଲକ୍ଷ୍ମଣ ବାଗଙ୍କ ସମୀକ୍ଷା, ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ।
ବଲାଙ୍ଗୀର,୧୬।୮: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନୀଙ୍କ ମନ୍ଦିରରୁ ନିକଟରେ ହୋଇଥିବା ଚୋରୀ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ବିଷାଦ ଦେଖାଦେଇଥିଲା। ତେବେ ମାଁଙ୍କ ଆଦେଶକ୍ରମେ ମନ୍ଦିରର ପୁନଃ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁଙ୍କ ପାଇଁ ଦେବୀ ଦର୍ଶନ ପୁନର୍ବାର ଆରମ୍ଭ ହୋଇଯାଇଛି।ଅଞ୍ଚଳବାସୀଙ୍କ ଭାବାବେଗ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ବିଧାୟକ ଶ୍ରୀ ବାଗ ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନଙ୍କ ସହ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ କରି ଘଟଣାର ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଅପରାଧରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଧରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଅତି ଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବାକୁ ସେ ପୋଲିସ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।ଅପରପକ୍ଷରେ, ପୋଲିସ ପକ୍ଷରୁ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ ଓ ଖାନତଲାସି ଜାରି ରହିଛି। ଅତି ଶୀଘ୍ର ଏହି ମାମଲାର ପର୍ଦ୍ଦାଫାସ ହୋଇ ଅଞ୍ଚଳବାସୀଙ୍କୁ ଶୁଭଖବର ମିଳିବ ବୋଲି ବୈଠକ ପରେ ବିଧାୟକ ସୂଚନା ଦେଇଛନ୍ତି।ବୈଠକରେ ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷ:ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବଲାଙ୍ଗୀର ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ସମାଜସେବୀ ଅନିଲ କୁମାର ତ୍ରିପାଠୀ ଏବଂ ଚାନ୍ଦୋତରା ସରପଞ୍ଚ ଜିତେନ ବଛା ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, କଣ୍ଟାବାଞ୍ଜି ଆଇଆଇସି ଗୋପାଳ କର୍ଣ୍ଣ, ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ କୁମାର ପ୍ରଧାନ, ମୁରିବାହାଳ ଆଇଆଇସି ବୁଲୁ ମୁଣ୍ଡା, ତୁରେକେଲା ଆଇଆଇସି ଏବଂ ସିନ୍ଧେକେଲା ପୋଲିସ ପକ୍ଷରୁ ଏଏସଆଇ ଆଦିତ୍ୟ ସାହୁ ପ୍ରମୁଖ ବୈଠକରେ ଯୋଗଦେଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

