Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ସ୍ଵାଧୀନତା ଦିବସ ଉପଲକ୍ଷେ ଉଡ଼ିଲାନି ତ୍ରିରଙ୍ଗା

ବୀରମହାରାଜପୁର :
ସାରା ଦେଶ ଓ ରାଜ୍ୟରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ଜାତୀୟ ପତାକା ଉତ୍ତୋଳନ ହୋଇ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଶନିବାର ସ୍ୱାଧୀନତା ଦିବସ ଅବସରରେ ଖଣ୍ଡହତାର ବିଭିନ୍ନ ସ୍କୁଲ, କଲେଜ, ପଞ୍ଚାୟତ କାର୍ଯ୍ୟାଳୟ, ଆରଆଇ କାର୍ଯ୍ୟାଳୟ ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ବନ୍ଦେ ମାତରମ୍‌ ଓ ଜାତୀୟ ସଙ୍ଗୀତ ଗାନ ସହ ଦେଶ ପ୍ରତି ସମ୍ମାନ ଜଣାଯାଇଥିଲା। ମାତ୍ର ଖଣ୍ଡହତା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ଦିନ ଗଡ଼ିଯାଇଥିଲେ ମଧ୍ୟ ପତାକା ଉତ୍ତୋଳନ ହୋଇ ନଥିବା ଦେଖିବାକୁ ମିଳିଥିଲା।
ଅଭିଯୋଗ ଅନୁସାରେ, କାର୍ଯ୍ୟାଳୟରେ କୌଣସି ଜାତୀୟ ପତାକା ମଧ୍ୟ ଲଗାଯାଇ ନଥିଲା। ଏହା ସହ କାର୍ଯ୍ୟାଳୟ ସମ୍ମୁଖ ଅଞ୍ଚଳ ମଇଳା ଆବର୍ଜନାରେ ଭରି ରହିଥିବା ଦେଖାଯାଇଥିଲା। ଫଳରେ କାର୍ଯ୍ୟାଳୟର ପରିଚାଳନା ଓ ନିୟମିତ ଖୋଲାଯିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ଚିକିତ୍ସା କେନ୍ଦ୍ରରେ ପୂର୍ବରୁ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ ସହ ପତାକା ଉତ୍ତୋଳନ କରାଯାଉଥିଲା। ତେବେ ଚଳିତ ବର୍ଷ କେଉଁ କାରଣରୁ ଏଠାରେ ଜାତୀୟ ପତାକା ଉତ୍ତୋଳନ କରାଗଲା ନାହିଁ, ତାହା ସ୍ପଷ୍ଟ କରିବାକୁ ସାଧାରଣରେ ଦାବି ହୋଇଛି।
ଏନେଇ କେନ୍ଦ୍ର ଦାୟିତ୍ୱରେ ଥିବା ପ୍ରାଣୀଧନ ଚିକିତ୍ସକ ପଦ୍ମାବତୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, “ମୁଁ ଏହି କେନ୍ଦ୍ରର ଅତିରିକ୍ତ ଦାୟିତ୍ୱରେ ଅଛି। ମୁଁ ଆମ କାର୍ଯ୍ୟାଳୟକୁ ଯାଇ ସେଠାରେ ପତାକା ଉତ୍ତୋଳନ କରିଛି ବୋଲି କହିବା କେତେଦୂର ଠିକ ଏହିପରି ଦାୟିତ୍ୱ ହୀନ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଜିଲ୍ଲାପାଳ ସୁବର୍ଣ୍ଣପୁର ବୋଲି ଜନସାଧାରଣ ଦୃଢ଼ ଦାବୀ କରୁଥିବା ଜଣା ଯାଏ l
ଅନ୍ୟପକ୍ଷରେ, ଏହି କେନ୍ଦ୍ରରେ ପତାକା ଉତ୍ତୋଳନ ନ ହେବା ସମ୍ପର୍କରେ ଭିଏସ୍‌ ଆକାଶ ସାହୁଙ୍କୁ ପଚାରିବାରୁ ସେ ଘଟଣାର କାରଣ ଜାଣିବା ସହ ତଦନ୍ତ କରୁଥିବା କହିଛନ୍ତି।
ସ୍ୱାଧୀନତା ଦିବସ ଭଳି ଜାତୀୟ ଦିବସରେ ଏକ ସରକାରୀ ଅନୁଷ୍ଠାନରେ ପତାକା ଉତ୍ତୋଳନ ନ ହେବା ଘଟଣାକୁ ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଘଟଣାର ତଦନ୍ତ କରାଯାଇ ଦାୟିତ୍ୱରେ ଅବହେଳା ହୋଇଥିଲେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ