ସ୍କୁଲ ନା ଗୋଦାମ ଘର: କସଡ଼ା ବିଦ୍ୟାଳୟରେ ଶ୍ରେଣୀ କୋଠରି ଅଭାବରୁ ପ୍ରାୟ ୧୮୩ ଜଣ ଛାତ୍ରଛାତ୍ରୀ ଅନ୍ତେହୀନ ଅସୁବିଧାରେ, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କସଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏବେ ଶ୍ରେଣୀ କୋଠରିର ଘୋର ଅଭାବ ସାଙ୍ଗକୁ ବିଦ୍ୟୁତ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି।
* ପ୍ରଥମରୁ ଦଶମ ଯାଏଁ ପଢୁଛନ୍ତି ପ୍ରାୟ ୧୮୩ ପିଲା, ମାତ୍ର ବସିବାକୁ ନାହିଁ ଉପଯୁକ୍ତ ସ୍ଥାନ
* ଶ୍ରେଣୀ କୋଠରିରେ ଗଦା ହୋଇଛି ଚାଉଳ ବସ୍ତା ଓ ଭଙ୍ଗା ଆସବାବପତ୍ର
* ବିଦ୍ୟୁତ ସଙ୍କଟ ଯୋଗୁଁ ପଙ୍ଖା, ଲାଇଟ୍ ଓ ପିଇବା ପାଣି ପାଇଁ ଶିକ୍ଷକଙ୍କ ପକେଟରୁ ଯାଉଛି ତେଲ ଖର୍ଚ୍ଚ
* ବାରମ୍ବାର ଅବଗତ ସତ୍ତ୍ୱେ ପ୍ରଶାସନିକ ଉଦାସୀନତାକୁ ନେଇ ଅସନ୍ତୋଷ, ଖୁବ୍ ଶୀଘ୍ର ପ୍ରତିକାର ପ୍ରତିଶ୍ରୁତି ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ
ଜମନକିରା, ୨୧/୮:(ରବିନ୍ଦ୍ର ପ୍ରସାଦ ଦାନୀ)
ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ସ୍କୁଲ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ, ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ହୋଇପଡ଼ିଛି।
ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କସଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏବେ ଶ୍ରେଣୀ କୋଠରିର ଘୋର ଅଭାବ ସାଙ୍ଗକୁ ବିଦ୍ୟୁତ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୮୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ସେମାନଙ୍କ ସଂଖ୍ୟା ଅନୁପାତରେ ପର୍ଯ୍ୟାପ୍ତ ଶ୍ରେଣୀ କୋଠରି ନଥିବାରୁ ପିଲାମାନେ ବସି ପାଠ ପଢ଼ିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁ କେତୋଟି କୋଠରି ରହିଛି, ସେଗୁଡ଼ିକର ଅବସ୍ଥା ମଧ୍ୟ ଅତ୍ୟନ୍ତ ଜରାଜୀର୍ଣ୍ଣ। ରକ୍ଷଣାବେକ୍ଷଣ ଅଭାବରୁ କାନ୍ଥରୁ ଚୂନ-ପଲସ୍ତରା ଖସି ନଷ୍ଟଭ୍ରଷ୍ଟ ହେଉଛି। ଆହୁରି ଚିନ୍ତାଜନକ କଥା ହେଉଛି, ଉପଲବ୍ଧ କୋଠରି ମଧ୍ୟରୁ କେତେକ ଏବେ ପାଠପଢ଼ା ପରିବର୍ତ୍ତେ ‘ଗୋଦାମ ଘର’ ପାଲଟିଛି। କେଉଁଠି ମଧ୍ୟାହ୍ନ ଭୋଜନର ଚାଉଳ ବସ୍ତା ଜମା ହୋଇ ରହିଛି ତ ଆଉ କେଉଁଠି ପୁରୁଣା ଭଙ୍ଗା ଟେବୁଲ୍, ଚେୟାର୍, ବେଞ୍ଚ ଓ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀ ଗଦା ହୋଇ ପଡ଼ିରହିଛି, ଯାହା ଶିକ୍ଷାଦାନ ପରିବେଶକୁ ସମ୍ପୂର୍ଣ୍ଣ କ୍ଷୁଣ୍ଣ କରୁଛି। ଅନ୍ୟପକ୍ଷରେ, ବିଦ୍ୟାଳୟରେ ନିୟମିତ ବିଦ୍ୟୁତ ସରବରାହ ନଥିବା ଯୋଗୁଁ ପ୍ରବଳ ଗରମ ଓ ଗୁଳୁଗୁଳିରେ ଛାତ୍ରଛାତ୍ରୀ କଲବଲ ହେଉଛନ୍ତି। ଏହି ସମସ୍ୟାରୁ ପିଲାଙ୍କୁ ଆଶ୍ୱସ୍ତି ଦେବା ସହ ପଙ୍ଖା, ଲାଇଟ୍ ଓ ମୋଟର ଯୋଗେ ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ନିଜ ପକେଟରୁ ତେଲ ଖର୍ଚ୍ଚ ବହନ କରି ପ୍ରତିଦିନ ଜେନେରେଟର ଚଳାଉଛନ୍ତି। ଶିକ୍ଷକମାନଙ୍କର ଏହି ନିସ୍ୱାର୍ଥପର କର୍ତ୍ତବ୍ୟନିଷ୍ଠା ପ୍ରଶଂସନୀୟ ହୋଇଥିଲେ ହେଁ, ଏହା ପ୍ରଶାସନର ଉଦାସୀନତାକୁ ଉଲଗ୍ନ କରିଦେଇଛି। ଏହି ସବୁ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ତଥା ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଲିଖିତ ଓ ମୌଖିକ ଭାବେ ଅବଗତ କରାଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ତେବେ ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସହ ଯୋଗାଯୋଗ କରି ପଚାରିବାରୁ, ସେ ବିଦ୍ୟାଳୟର ସମସ୍ୟା ଉପରେ ଗୁରୁତ୍ୱ ଦେଇ ଖୁବ୍ ଶୀଘ୍ର ଏହାର ସମାଧାନ ତଥା ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରଶାସନ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଏବେ ଦେଖିବାକୁ ବାକି ରହିଲା।

