Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା: ମରାମତି ନାଁରେ ନିମ୍ନମାନର କାମ, ବର୍ଷା ପାଣିରେ ଭିଜୁଛି ପିଲାଙ୍କ ଭବିଷ୍ୟତ; ସର୍ବେଜାଲ ପ୍ରାଥମିକ ବିଦ୍ୟାଳୟରେ ତାଲା ମାରି ଧାରଣା

ଜମନକିରା : ସ୍କୁଲ ରୂପାନ୍ତରଣ ଓ ମରାମତି ନାଁରେ ସରକାରୀ ଅର୍ଥର ବାଟମାରଣା ଏବଂ ପ୍ରଶାସନିକ ଉଦାସୀନତାର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସର୍ବେଜାଲ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଟିଣ ଛାତରୁ ବର୍ଷା ପାଣି ଗଳିବା ଏବଂ ନିମ୍ନମାନର ମରାମତି କାର୍ଯ୍ୟ ବିରୋଧରେ ଆଜି ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ବର୍ଷା ଜଳରେ ପିଲାମାନେ ଭିଜି ଭିଜି ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଥିବା ବେଳେ ଏହାର ପ୍ରତିବାଦରେ ଆଜି ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏକାଠି ହୋଇ ସ୍କୁଲ ମୁଖ୍ୟ ଫାଟକରେ ତାଲା ଝୁଲାଇ ବାହାରେ ଧାରଣାରେ ବସି ରହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ଉକ୍ତ ଶ୍ରେଣୀ କୋଠରୀର ମରାମତି ପାଇଁ ଜଣେ ସ୍ଥାନୀୟ ଠିକାଦାରଙ୍କ ଦ୍ୱାରା ଟିଣ ଛାତ ଲଗାଯାଇଥିଲା। ମାତ୍ର ଛାତ ଲଗାଇବାର ପ୍ରକ୍ରିୟା ଠିକ୍ ନ ଥିବାରୁ ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ବର୍ଷାରେ ପ୍ରତ୍ୟେକ ଦିନ ଛାତରୁ ଧାର ଧାର ପାଣି ଗଳୁଛି। ଏହାଫଳରେ ପିଲାମାନଙ୍କ ବହିପତ୍ର ଓଦା ହେବା ସହ କୋମଳମତି ଶିଶୁମାନେ ଓଦା ଚଟାଣରେ ବସିବାକୁ ବାଧ୍ୟ ହେଉଛନ୍ତି। ଏହି ବାବଦରେ ପୂର୍ବରୁ ସମ୍ପୃକ୍ତ ଠିକାଦାରଙ୍କୁ ପରିଚାଳନା କମିଟି ପକ୍ଷରୁ ଜଣାଇବା ସତ୍ତ୍ୱେ କୌଣସି ତୁରନ୍ତ ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସମସ୍ୟାର ସମାଧାନ ଆଶା ନେଇ ଗତକାଲି ଗ୍ରାମବାସୀ ଓ ଅଭିଭାବକମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ ହେଁ ବିଡିଓ ଉପସ୍ଥିତ ନ ଥିବାରୁ ତାଙ୍କୁ ଭେଟି ପାରିନଥିଲେ ଏବଂ ନିରାଶ ହୋଇ ଫେରିଥିଲେ। ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ନ ହେବାରୁ ଆଜି ସକାଳୁ ଧୈର୍ଯ୍ୟହରା ହୋଇ ଅଭିଭାବକମାନେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସହ ମିଶି ସ୍କୁଲ ଫାଟକରେ ତାଲା ମାରି ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ସିଆରସିସି ଆନନ୍ଦ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ତାଲା ଖୋଲିନଥିଲେ। ସ୍ଥାୟୀ ସମାଧାନର ଠୋସ୍ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଅଡ଼ି ବସିଥିଲେ।
ଅନ୍ୟପକ୍ଷରେ, ଏ ସଂକ୍ରାନ୍ତରେ ସମ୍ପୃକ୍ତ ଠିକାଦାରଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗତ ମାର୍ଚ୍ଚ ମାସରେ ପ୍ରବଳ କାଳବୈଶାଖୀ ଝଡ଼ତୋଫାନ ଯୋଗୁଁ ଛାତର ଗୋଟିଏ ସିଟ୍ ଉଡ଼ିଯାଇଥିଲା। ପରେ ତାହାର ମରାମତି କରାଯାଇଥିଲା, ତେବେ କାମ ବେଳେ ସାମାନ୍ୟ ଏପଟସେପଟ ହୋଇଯାଇଥିବାରୁ ପାଣି ଗଳୁଥାଇପାରେ। ବର୍ଷା ଟିକେ ଛାଡ଼ିଗଲେ ଖୁବ୍ ଶୀଘ୍ର ଏହାର ସ୍ଥାୟୀ ମରାମତି କରିଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କୋମଳମତି ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଛାତର ସଠିକ୍ ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ନିକଟରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories