Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଫିସ୍‌ପଡ଼ାରେ ‘ଦୀପ ତଳ ଅନ୍ଧାର’: କଦଳୀମୁଣ୍ଡା-ମାଲିପଡ଼ା ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ, ୧୫୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତପ୍ରାଣୀ ଚିକିତ୍ସାଳୟରୁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସବୁଠି ଯିବାକୁ କାଦୁଅରେ ଚାଲିବା ବାଧ୍ୟତାମୂଳକ; ମରାମତି ନହେଲେ ଧାରଣା ଚେତାବନୀ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ଅନ୍ତର୍ଗତ କଦଳୀମୁଣ୍ଡା-ମାଲିପଡ଼ା ରାସ୍ତା ଦୀର୍ଘ ଦିନ ଧରି ମରାମତି ଅଭାବରୁ ଚରମ ବିପର୍ଯ୍ୟୟ ମଧ୍ୟକୁ ଠେଲି ହୋଇଯାଇଛି। ବ୍ଲକ କାର୍ଯ୍ୟଳୟ ଠାରୁ ଅନତି ଦୂରରେ ଥିବା ଏହି ପଡ଼ା ଟି ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି, କାଦୁଅ ଓ ଖାଲଖମାରେ ପାଣି ଜମି ରହି ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହେବାକୁ ବସିଛି। ଏହି ପଡ଼ାରେ ପ୍ରାୟ ୧୫୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ପ୍ରତିଦିନ ସେମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଏହି ରାସ୍ତାଟି ସ୍ଥାନୀୟ ଅଞ୍ଚଳର ଏକ ପ୍ରମୁଖ ପ୍ରଶାସନିକ ସଂଯୋଗସ୍ଥଳୀ ହୋଇଥିବା ବେଳେ ଏହାର ଉଭୟ ପାର୍ଶ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି। ବ୍ଲକ୍ କାର୍ଯ୍ୟାଳୟ, ଶିକ୍ଷା କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଣୀ ଚିକିତ୍ସା କେନ୍ଦ୍ର, ଓମ୍‌ଫେଡ୍ କାର୍ଯ୍ୟାଳୟ, ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏହି ରାସ୍ତା ଉପରେ ହିଁ ନିର୍ଭରଶୀଳ। ଏତେସବୁ ଅଫିସ୍ ଥାଇ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଆଖି ସାମ୍ନାରେ ରାସ୍ତାର ଏଭଳି ମରଣଯନ୍ତା ଅବସ୍ଥା ସ୍ଥାନୀୟ ପ୍ରଶାସନର ଉଦାସୀନତାକୁ ପଦାରେ ପକାଇଛି।
ମାଲିପଡ଼ା ଓ କଦଳୀମୁଣ୍ଡାରେ ରହୁଥିବା ଶତାଧିକ ପରିବାର ପାଇଁ ଏହା ଏକମାତ୍ର ସଂଯୋଗକାରୀ ମୁଖ୍ୟ ରାସ୍ତା ହୋଇଥିବାରୁ ରୋଗୀ, ବୃଦ୍ଧ ଓ ସାଧାରଣ ଲୋକେ ଗୁରୁତର ସମସ୍ୟା ଭୋଗୁଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ପହଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟପକ୍ଷରେ, ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବା କୁନିକୁନି ଶିଶୁମାନେ ଏହି ବିପଦସଙ୍କୁଳ ରାସ୍ତାରେ ପ୍ରତିଦିନ ପଡ଼ି ଖଣ୍ଡିଆଖାବରା ହେଉଥିବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତାର ସ୍ଥାୟୀ ପକ୍କା ନିର୍ମାଣ ଓ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ନକଲେ, ଆଗାମୀ ଦିନରେ କଦଳୀମୁଣ୍ଡା ଓ ମାଲିପଡ଼ାବାସୀ ଏକତ୍ରିତ ହୋଇ ବ୍ଲକ୍ କାର୍ଯ୍ୟାଳୟ ଘେରାଉ ସହ ଆନ୍ଦୋଳନ ଓ ଧାରଣାରେ ବସିବେ ବୋଲି ଚରମ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories