Baripada SI ବିରୋଧରେ ଗୁରୁତର ଅଭିଯୋଗ: ପତ୍ନୀଙ୍କୁ ନିର୍ଯାତନା, ହତ୍ୟା ଉଦ୍ୟମ ମାମଲାରେ Prabhat Nayak ଗିରଫ
ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଭାତ କୁମାର ନାୟକଙ୍କ ବିରୋଧରେ ପତ୍ନୀ ଗୁରୁତର ଅଭିଯୋଗ ଆଣିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ, ହତ୍ୟା ଧମକ ଓ ଦୁଷ୍କର୍ମ ଭଳି ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ମାମଲା ରୁଜୁ କରି ଶନିବାର ତାଙ୍କୁ କୋର୍ଟଚାଲାଣ କରିଛି। ଗିରଫ ଏସ୍ଆଇ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବଣିଆପାଟ ଗ୍ରାମର ପ୍ରଭାତ କୁମାର ନାୟକ। ପୁଲିସ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ କୋର୍ଟରେ ହାଜର କରିଥିବା ବେଳେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଅଭିଯୋଗ ଅନୁସାରେ, ପୁରୀ ଜିଲ୍ଲାର ୩୧ ବର୍ଷୀୟା ଯୁବତୀଙ୍କ ସହ ପ୍ରଭାତଙ୍କର ପ୍ରାୟ ୪ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଇ ସେ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଏବଂ ପରେ ବିବାହ ପାଇଁ ଟଙ୍କା ଓ ସୁନା ଦାବି କରିଥିବା ପତ୍ନୀ ଅଭିଯୋଗ କରିଛନ୍ତି। ତାଙ୍କଠାରୁ ପର୍ଯ୍ୟାୟକ୍ରମେ ୧ ଲକ୍ଷ ୭୯ ହଜାର ୮୭୫ ଟଙ୍କା ଓ ଦୁଇଟି ରୁପା ବ୍ରେସଲେଟ ନେଇଥିବା ଏତଲାରେ ଦର୍ଶାଯାଇଛି। ଏହାସହ ବିବାହ ପାଇଁ ୧୦ ଲକ୍ଷ ଟଙ୍କା ନଗଦ ଓ ୨୦ ଭରି ସୁନା ଦାବି କରିଥିବା ଅଭିଯୋଗ ହୋଇଛି। ଗତ ଜୁନ୍ ୧୨ ତାରିଖରେ କୁଳିଅଣାର ରାଧାକୃଷ୍ଣ ମନ୍ଦିରରେ ବୈଦିକ ରୀତିରେ ବିବାହ ହୋଇଥିଲେ ମଧ୍ୟ ପ୍ରଭାତ ପତ୍ନୀଙ୍କୁ ନିଜ ଘରକୁ ନେଇନଥିବା ଅଭିଯୋଗ ରହିଛି। ପରେ କେନ୍ଦୁଝରରେ ପରିବାର ସଦସ୍ୟଙ୍କ ସହ ବିବାଦ ହେବା ପରେ ପୁଲିସ ହସ୍ତକ୍ଷେପରେ ପ୍ରଭାତ ଲିଖିତ ଭାବେ ତାଙ୍କୁ ପତ୍ନୀ ବୋଲି ସ୍ୱୀକାର କରିଥିବା କୁହାଯାଇଛି।
ଏହାପରେ ପୁଣି ୧୦ ଲକ୍ଷ ଟଙ୍କା ଅଧିକ ଯୌତୁକ ଦାବି କରି ପ୍ରଭାତ ଓ ତାଙ୍କ ବଡ଼ଭାଇ ମାରପିଟ ଓ ଧମକ ଦେଇଥିବା ପତ୍ନୀ ଅଭିଯୋଗ କରିଛନ୍ତି। ଜୁଲାଇ ୨ ତାରିଖରେ କେନ୍ଦୁଝରରୁ ବାରିପଦା ଫେରିବା ସମୟରେ କୋର୍ଟ ବିବାହ ପାଇଁ କହିବାରୁ ପ୍ରଭାତ ମନା କରିବା ସହ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି କହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିବାଦ ସମୟରେ ପ୍ରଭାତ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଏତଲାରେ ଦର୍ଶାଯାଇଛି। ଘଟଣାକୁ ନେଇ ଦୁଷ୍କର୍ମ, ହତ୍ୟା ଉଦ୍ୟମ, ହତ୍ୟା ଧମକ ଓ ଯୌତୁକ ନିର୍ଯାତନା ସମେତ ବିଭିନ୍ନ ଦଫାରେ ମାମଲା ହୋଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଏସ୍ଆଇ ପ୍ରଭାତ ଅଭିଯୋଗଗୁଡ଼ିକୁ ମିଥ୍ୟା ବୋଲି କହିବା ସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଥିବା କହିଛନ୍ତି। ଏସ୍ଡିପିଓ ପ୍ରଭାତ କୁମାର ମଲ୍ଲିକ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ।

