ଜଳୁନି ସୋଲାର ଲାଇଟ୍, ଖୁଣ୍ଟରେ ଲଣ୍ଠନ ବାନ୍ଧି ପ୍ରଶାସନକୁ ଅଭିନବ ପ୍ରତିବାଦ ଜଣାଇଲେ ଗ୍ରାମବାସୀ ।
ବଲାଙ୍ଗୀର,୨୫।୮: ସୋଲାର ଲାଇଟ୍ ଖୁଣ୍ଟ ଅଛି, ସୋଲାର ପ୍ୟାନେଲ୍ ବି ଅଛି; କିନ୍ତୁ ଲାଇଟ୍ ଜଳୁନାହିଁ। ଶେଷରେ ବାଧ୍ୟ ହୋଇ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟରେ ଲଣ୍ଠନ ବାନ୍ଧି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ କୁଇକେଡା ପଞ୍ଚାୟତର ରେଙ୍ଗାଲି ଗାଁରେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁରେ ମାସେ ତଳେ ସୋଲାର ଲାଇଟ୍ ଲଗାଯାଇଥିଲା। କିନ୍ତୁ ଲଗାଯିବାର ମାତ୍ର କିଛି ଦିନ ପରେ ପ୍ରାୟ ୪-୫ ଦିନ ହେଲା ଏହା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି।
ବଲାଙ୍ଗୀରରୁ ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ରେଙ୍ଗାଲି ଛକ ପୂରା ଅନ୍ଧାର ହୋଇପଡ଼ିଛି। ଫଳରେ ରାତିରେ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି ଏବଂ ଲୋକଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି।
ଏନେଇ ସ୍ଥାନୀୟ ଗ୍ରାମବାସୀ ଓ ପ୍ରତିନିଧିମାନେ ପ୍ରଶାସନକୁ ବାରମ୍ବାର ଗୁହାରି ଓ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କର୍ଣ୍ଣପାତ କରାଯାଇ ନାହିଁ କି ପ୍ରତିକାର କରାଯାଇ ନାହିଁ।
ସୋଲାର ଲାଇଟ୍ ନଜଳିବାରୁ ଓ ପ୍ରଶାସନ ଶୁଣିବାରୁ, ଗ୍ରାମବାସୀମାନେ ନିଜେ ସିଡ଼ି ସାହାଯ୍ୟରେ ଉପରକୁ ଚଢ଼ି ସୋଲାର ଲାଇଟ୍ ଖୁଣ୍ଟରେ ଜଳନ୍ତା ଲଣ୍ଠନ ବାନ୍ଧି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
ତେବେ ଏହି ଅଭିନବ ପ୍ରତିବାଦ ପରେ ବି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଗ୍ରାମବାସୀମାନେ ତୁରନ୍ତ ଏହି ସୋଲାର ଲାଇଟ୍ଗୁଡ଼ିକୁ ମରାମତି କରିବାକୁ ଦାବି କରିଛନ୍ତି।

